ଜି-୨୦ ସମ୍ମିଳନୀ ପାଇଁ ବଡ଼ ପ୍ରସ୍ତୁତି; ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ

1 min read

ନୂଆଦିଲ୍ଲୀ: ଗ୍ରୁପ-୨୦ ସମ୍ମିଳନୀ ନେଇ ବଡ ପ୍ରସ୍ତୁତି । ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଛି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ । ବୈଠକରେ ପ୍ରମୁଖ ରାଜନୈତିକ ଦଳଗୁଡିକର ମୁଖ୍ୟମାନେ ବି ସାମିଲ ହୋଇଥିଲେ । ଚଳିତ ବର୍ଷ ଗ୍ରୁପ-୨୦ର ବୈଠକ ହେବାକୁ ଯାଉଥିବାରୁ ଭାରତ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ହାସଲ କରିଛି ।

ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଗ୍ରୁପ-୨୦ ନେଇ ଏକ ଦସ୍ତାବିଜ ଉପସ୍ଥାପନ କରିଥିଲେ । ଗତ ଡିସେମ୍ବର ୧ ତାରିଖରେ ଗ୍ରୁପ-୨୦ର ସଭାପତିତ୍ବ କରିବା ଲାଗି ଭାରତ ବିଧିବଦ୍ଧ ଦାୟିତ୍ବ ନେଇଥିଲା । ଚଳିତ ମାସରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ ପ୍ରସ୍ତୁତି ବୈଠକ ହେବ ।

ଗ୍ରୁପ-୨୦ରେ ଭାରତର ସଭାପତିତ୍ବ ନେଇ ଖୁସି ବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କରେ ଗ୍ରୁପ-୨୦ ବୈଠକ ହେବା ପ୍ରସଙ୍ଗରେ ସେ କହିଛନ୍ତି- ଏହି ବିଷୟ ସମ୍ପର୍କରେ ସେ ସୂଚନା ପାଇଛନ୍ତି । ଯଦି କୋଣାର୍କରେ ହୁଏ ତେବେ ସେ ଆନନ୍ଦିତ ହେବେ । ଆସନ୍ତା ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀରେ ହେବ ଗ୍ରୁପ-୨୦ ସମ୍ମିଳନୀ ।

ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦିଆରବ, ସାଉଥ ଆଫ୍ରିକା, ବ୍ରିଟେନ, ଆମେରିକା, ୟୁରୋପୀୟ ରାଷ୍ଟ୍ରସଂଘ ଯୋଗଦେବେ । ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଂସ୍କୃତି ମନ୍ତ୍ରାଳୟ ଅଧୀନ ଭାରତର ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଐତିହାସିକ କୀର୍ତ୍ତିରାଜିଗୁଡ଼ିକୁ ଗ୍ରୁପ-୨୦ ଲୋଗୋ ଆଲୋକରେ ଆଲୋକିତ କରାଯାଇଥିଲା । ଏଥିରେ ଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ଏବଂ ରାଜାରାଣୀ ମନ୍ଦିର ।