ସାରା ୟୁକ୍ରେନରେ ଶକ୍ତି ସଙ୍କଟ, ଅନ୍ଧାରରେ ପ୍ରାୟ ଏଗାର ଶହ ସହର
1 min readକିଭ୍: ସାରା ୟୁକ୍ରେନରେ ଶକ୍ତି ବିପର୍ଯ୍ୟୟ । ଅନ୍ଧାର ଭିତରେ ପ୍ରାୟ ଏଗାର ଶହ ସହର । ଦେଶର ଶକ୍ତି ପ୍ରକଳ୍ପ ଗୁଡିକୁ ଋଷ ଧ୍ବଂସ କରିବାରେ ଲାଗିଥିବା ବେଳେ ସ୍ଥିତି ଅତି ବିପର୍ଯ୍ୟୟ ହୋଇଛି । ଏହା ସହ ଅନେକ ଜଳଯୋଗାଣ ପ୍ରକଳ୍ପ ବି ଧ୍ବଂସ ହୋଇଛି । ଫଳରେ ୟୁକ୍ରେନରେ ହାହାକାରମୟ ପରିବେଶ ସୃଷ୍ଟି ହୋଇଛି । କିଛି ଦିନ ଧରି ଋଷ ପକ୍ଷରୁ ୟୁକ୍ରେନର 16ଟି ଅଞ୍ଚଳର ପ୍ରମୁଖ ସହର, ଶକ୍ତି ପ୍ରକଳ୍ପ ଉପରେ 190ରୁ ଅଧିକ ମିସାଇଲ, କାମିକେଜେ ଡ୍ରୋନ ଓ ଗୋଳାମାଡ ହୋଇଛି ବୋଲି କୁହାଯାଇଛି ।
ଜିତୋମି, ଖାରକିବ, ଦୋନେସ୍କ, ଜେପୋରିଜିୟା, ଲୁଗାନସ୍କ, ଖେରସନ ସମେତ ପ୍ରମୁଖ ସହରରେ ଅନ୍ଧକାର ଜାରି ରହିଛି । ଗତ 10 ଦିନ ମଧ୍ୟରେ ଋଷ ହମଲାରେ 70ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ 240ରୁ ଅଧିକ ଲୋକ ଆହତ ହୋଇଛନ୍ତି । 380ରୁ ଅଧିକ କୋଠା ଧରାଶାୟୀ ହୋଇଛି । ସେପଟେ ଋଷକୁ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ ଓ ଡ୍ରୋନ ଯୋଗାଇବାକୁ ଘୋଷଣା କରିଛି ଇରାନ ।
ୟୁକ୍ରେନକୁ ନାଟୋର ସହାୟତା ଅଧିକରୁ ଅଧିକ ହେଉଥିବା ବେଳେ ଇରାନର ଏହି ଘୋଷଣା ଆମେରିକାକୁ ଅଧିକ ଉତ୍ତେଜିତ କରିଛି । ଇରାନର ଏହି ଘୋଷଣା ଅନୁସାରେ ଋଷକୁ ଅତି ଶକ୍ତିଶାଳୀ ଫେତହ ଓ ଜୋଲଫାଗର ମିସାଇଲ ଏବଂ ସାହିଦ-136 ଡ୍ରୋନ ମିଳିବ । ସାହିଦ-136 ଡ୍ରୋନ ଲକ୍ଷ୍ୟସ୍ଥଳୀ ଭେଦ କରିବା ସହ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି । ଫତେହ ଓ ଜୋଲଫାଗର ମିସାଇଲ ପ୍ରାୟ 700 କିଲୋମିଟର ଦୂରକୁ ଟାର୍ଗେଟ କରିପାରିବେ । ଇରାନର ଅସ୍ତ୍ରଯୋଗାଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।