ଶରୀର ବିଜ୍ଞାନ ଓ ଔଷଧ ବର୍ଗରେ ଏସ୍ ପାବୋଙ୍କୁ ନୋବେଲ
1 min readନନ୍ଦିଘୋଷ ବ୍ୟୁରୋ: ଔଷଧ ଓ ଶରୀର ବିଜ୍ଞାନ ବର୍ଗରେ ସୁଇଡେନର ୬୭ ବର୍ଷୀୟ ଜେନେଟିକ ବିଜ୍ଞାନୀ ସ୍ବାନ୍ତେ ପାବୋଙ୍କୁ ମିଳିଛି ଚଳିତ ବର୍ଷର ନୋବେଲ ପୁରସ୍କାର । ବିଲୁପ୍ତ ମାନବ ପ୍ରଜାତି ଓ ମାନବ ବିବର୍ତ୍ତନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ନୋବେଲ ପୁରସ୍କାର ମିଳିଛି । କାରୋଲିନଷ୍କା ଇନଷ୍ଟିଚ୍ୟୁଟଠାରେ ନୋବେଲ ଆସେମ୍ବଲି ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି ।
ନୋବେଲ କମିଟି ପକ୍ଷରୁ କୁହାଯାଇଛି- ବିଲୁପ୍ତ ମାନବ ପ୍ରଜାତି ଓ ମାନବର ବିବର୍ତ୍ତନ ସମ୍ପର୍କରେ ଉଲ୍ଲେଖନୀୟ ଗବେଷଣା କରି ବିଜ୍ଞାନ ଜଗତକୁ ପାବୋ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ବିଲୁପ୍ତ ନିଅନଡର୍ଥାଲ ପ୍ରଜାତି ମାନବର ଜିନୋମ ସିକୁଏନସିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ସହ ଅଜଣା ପ୍ରଜାତିର ଦେନିସୋଭା ବର୍ଗର ମାନବ କ୍ଷେତ୍ରରେ ଜିନୋମ ସିକୁଏନସିଂ କରି ବହୁ ତଥ୍ୟ ପ୍ରଦାନ କରିଛନ୍ତି ଯାହା ବିବର୍ତ୍ତନବିତଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ହେବ ।
ସେ ପାଲେଓଜେନୋମିକ୍ସ ନାମକ ଏକ ସମ୍ପୂର୍ଣ୍ଣ ନୂତନ ବୈଜ୍ଞାନିକ ଧାରା ସୃଷ୍ଟି କରିଛନ୍ତି । ବିଲୁପ୍ତ ମାନବ ପ୍ରଜାତିଙ୍କଠାରୁ ଆଧୁନିକ ମାନବ କେଉଁ କେଉଁ କ୍ଷେତ୍ରରେ ଆଲଗା ସେ ସମ୍ପର୍କରେ ଗବେଷଣା କରିଛନ୍ତି ପାବୋ । ସୂଚନାଯୋଗ୍ୟ, ଆସନ୍ତାକାଲି ଭୌତିକ ବିଜ୍ଞାନ ବର୍ଗରେ ନୋବେଲ ପୁରସ୍କାର ଘୋଷଣା କରାଯିବ, ବୁଧବାର ରସାୟନ ବିଜ୍ଞାନ, ଗୁରୁବାର ସାହିତ୍ୟ ଏବଂ ଶୁକ୍ରବାର ଶାନ୍ତି ବର୍ଗ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ ।