ଦେଶରେ ଶ୍ରେଷ୍ଠ ରାଜଧାନୀ ଭୁବନେଶ୍ବର, ପୁରସ୍କୃତ ହେଲା ବିଏମସି

ଭୁବନେଶ୍ବର: ଜାତୀୟ ସ୍ତରରେ ପୁରସ୍କୃତ ହେଲା ବିଏମସି  । ସ୍ବଚ୍ଛ ସର୍ବେକ୍ଷେଣ ୨୦୨୨ର ସିଟିଜେନ ଫିଡ଼ବ୍ୟାକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜଧାନୀ ଭାବେ ପୁରସ୍କୃତ ହୋଇଛି ଭୁବନେଶ୍ବର ମହାନଗର ନିଗମ । ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଗୃହ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ସଚିବ ମନୋଜ ଯୋଶୀ ପୁରସ୍କାର ପ୍ରଦାନ କରିଛନ୍ତି ।

ବିଏମସି ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜଧାନୀ ଭୁବନେଶ୍ବରରୁ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ, ସକ୍ରିୟତା ଓ ସହଭାଗିତା ପାଇଁ ବିଏମସିକୁ ଏହି ଉପଲବ୍ଧି ମିଳିଛି।

ସ୍ବଚ୍ଛ ସର୍ବେକ୍ଷଣ ୨୦୨୧ରେ ସମଗ୍ର ଦେଶରେ ଭୁବନେଶ୍ବରର ସ୍ଥାନ ୧୪୪ରେ ଥିବା ବେଳେ  ୨୦୨୨ରେ ଏହି ସ୍ଥାନ ୮୦କୁ ଉନ୍ନୀତ ହୋଇଛି । ଜାତୀୟ ସ୍ତରରେ ପୁରସ୍କୃତ ବିଏମସିକୁ ପୁରସ୍କାର ମିଳିବା ପରେ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ୱରବାସୀଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି। ସୂଚନାଯୋଗ୍ୟ ବିଭିନ୍ନ କ୍ଷେତ୍ରରେ ବିଏମସି ଅଗ୍ରଗାମୀ କାର୍ଯ୍ୟ ଗ୍ରହଣ କରିଛି ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ,ବସ୍ତି ବିକାଶ,ବିପର୍ଯ୍ୟୟ ପରିଚାଳନା,ସହର ସୌନ୍ଦର୍ଯ୍ୟ କରଣ,ନାଗରିକ ସେବା,ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା,ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା,ଦକ୍ଷ ସହରୀ ଯୋଜନା ଏବଂ ବିକାଶ,ଜଳ ଯୋଗାଣ ସେବା,ସିଟି ବସ୍ ସେବା,ଅନଲାଇନ୍ ସେବା,ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥା କରିଛି ।

ସେହିଭଳି ବ୍ରହ୍ମପୁର ମହାନଗର ନିଗମକୁ ବି ମିଳିଛି ପୁରସ୍କାର  । ଗଞ୍ଜାମ ଟିମଙ୍କୁ ସ୍ବଛ ସର୍ବେକ୍ଷଣ 2022ର ସବୁଠାରୁ ସମ୍ମାନଜନକ ପୁରସ୍କାର ମିଳିଛି । ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍‌ ପାଇଁ ପୁରସ୍କାର ମିଳିଛି । ଏହାସହ ଚିକିଟିକୁ ଦ୍ରୁତ ଉନ୍ନତ ସହର ଭାବେ ରାଙ୍କ ୧ରେ ରଖାଯାଇ ପୁରସ୍କାର ଦିଆଯାଇଛି ।

ସେହିପରି ନାଗରିକଙ୍କ ମତାମତ ଉପରେ ସର୍ବୋତ୍ତମ ପାଇଁ ବେଲଗୁନ୍ଥାକୁ ମିଳିଛି ପୁରସ୍କାର । ଏହି ପୁରସ୍କାର ଗ୍ରହଣ କରିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ ଓ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା  । ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ଗୃହ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ସଚିବ ମନୋଜ ଯୋଶୀ ପୁରସ୍କାର ପ୍ରଦାନ କରିଛନ୍ତି  ।