ବଢ଼ିଲା ଜ୍ୟାକଲିନଙ୍କ ଅଡ଼ୁଆ, ୨୧୫ କୋଟି ଠକେଇ ମାମଲାରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ । ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ମାମଲାରେ ଜ୍ୟାକଲିନଙ୍କ ନାମ ସ୍ଥାନ ପାଇଛି । ସୁକେଶଙ୍କ ନାମରେ ୨୧୫ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଦିଲ୍ଲୀ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ଅତିରିକ୍ତ ଚାର୍ଜସିଟରେ ଅଭିନେତ୍ରୀଙ୍କ ନାମ ସ୍ଥାନୀତ ହୋଇଛି । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା ।

ଇଡିର ପ୍ରଥମ ଚାର୍ଜସିଟରେ ସୁକେଶ କିପରି ଟଙ୍କା ଠକେଇ କରିଥିଲେ ତାହା ଦର୍ଶାଯାଇଥିଲା । ଦ୍ୱିତୀୟ ଚାର୍ଜସିଟରେ ଜ୍ୟାକଲିନଙ୍କୁ ସୁକେଶ ଦେଇଥିବା ୫ କୋଟି ଟଙ୍କାର ଗିଫ୍ଟ ବିଷୟ ଉଲ୍ଲେଖ ରହିଛି । ବେଆଇନ ଅର୍ଥରେ ଏହି ଗିଫ୍ଟ ଦିଆଯାଇଥିବା ନେଇ ଜ୍ୟାକଲିନ ଜାଣିଥିବା ସତ୍ତ୍ବେ ସେ ଏହି ଗିଫ୍ଟ ଗ୍ରହଣ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।