ଜୁଲାଇ ୧ରେ ଶପଥ ନେବେ ଫଡନାବୀସ !
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ରାଜନୈତିକ ନାଟକ ଧୀରେ ଧୀରେ ଥମିବାର ଦେଖାଯାଉଛି । ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଉଦ୍ଧବ ଇସ୍ତଫା ଦେଇଛନ୍ତି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ପୁଣିଥରେ ସରକାର ଗଢିବାର ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ବିଜେପିର ପ୍ରମୁଖ ନେତାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି ଦେବେନ୍ଦ୍ର ଫଡନାବୀସ । ଆଜି ରାତିରେ ହିଁ ସରକାର ଗଢିବା ଉପରେ ବଡ ନିଷ୍ପତ୍ତି ନିଆଯାଇପାରେ । ଫଡନାବୀସ ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
ସିନ୍ଦେଙ୍କ ସମର୍ଥନରେ ୪୦ରୁ ଉର୍ଦ୍ଧ୍ୱ ବିଧାୟକ ରହିଛନ୍ତି । କୁହାଯାଉଛି ଯେ ଜୁଲାଇ ୧ ତାରିଖରେ ଫଡନାବୀସ ଶପଥ ନେଇପାରନ୍ତି । ଉଦ୍ଧବଙ୍କ ଇସ୍ତଫା ପରେ ମହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିଯାଇଛି । ଏବେ ନୂଆ ସରକାର କିଏ ଗଢିବ ସମସ୍ତଙ୍କ ନଜର ତା ଉପରେ ରହିଛି । ସବୁଠୁ ବଡ କଥା ହେଉଛି ବିଦ୍ରୋହୀ ସିନ୍ଦେଙ୍କ ଗୋଷ୍ଠୀ କାହାକୁ ସମର୍ଥନ କରିବେ । କାରଣ ଯଦି ସେମାନେ ଦଳରୁ ଇସ୍ତଫା ନଦେଉଛନ୍ତି ତେବେ ବିଜେପିକୁ ସମର୍ଥନ କରିପାରିବେନି । ଶିବସେନାର ହ୍ୱିପକୁ ମାନି ବିଧାନସଭାରେ ଶିବସେନାକୁ ସମର୍ଥନ କରିବାକୁ ପଡିବ । ଯଦି ଅନୁପସ୍ଥିତ ରୁହନ୍ତି ତେବେ ସେମାନଙ୍କର ବିଧାନସଭା ସଦସ୍ୟତା ରଦ୍ଦ ହେବ । ଏପରି ସ୍ଥିତିରେ ସେମାନେ ଶିବସେନାରୁ ଇସ୍ତଫା ଦେବା ଛଡା ଆଉ କୌଣସି ବିକଳ୍ପ ସେମାନଙ୍କ ପାଖରେ ନାହିଁ ।
ବର୍ତ୍ତମାନର ସ୍ଥିତି ଉପରେ ଯଦି ନଜର ପକାଇବା ତେବେ ମହାବିକାଶ ମେଣ୍ଟର ଶିବସେନା ପାଖରେ ମାତ୍ର ୧୬ ବିଧାୟକ ରହିଯାଇଛନ୍ତି । ସେହିପରି କଂଗ୍ରେସ ପାଖରେ ୪୪, ଏନସିପି ପାଖରେ ୫୩ ଏବଂ ଅନ୍ୟ ବାର ଜଣ ବିଧାୟକ ଅଛନ୍ତି । ମୋଟ ମିଶାଇଲେ ମହାବିକାଶ ଅଘାଡି ପାଖରେ ୧୨୫ ବିଧାୟକ ଅଛନ୍ତି । ସେପଟେ ବିଜେପି ପାଖରେ ସ୍ୱାଧୀନ ବିଧାୟକଙ୍କ ସମର୍ଥକଙ୍କ ସହ ୧୧୩ ବିଧାୟକ ଅଛନ୍ତି । ସିନ୍ଦେଙ୍କ ପାଖରେ ସ୍ୱାଧୀନ ଏବଂ ଶିବସେନାକୁ ମିଶାଇ ମୋଟ ୪୯ ବିଧାୟକ ଅଛନ୍ତି । ଯଦି ସିନ୍ଦେ ବିଜେପିକୁ ସମର୍ଥନ ଦେଉଛନ୍ତି ତେବେ ବିଜେପି ପାଖରେ ୧୬୨ ବିଧାୟକ ରହିବେ । ଏପରି ସ୍ଥିତିରେ ସରକାର ଗଢିବା ପାଇଁ ବିଜେପି ସମର୍ଥ ହେବ । କିନ୍ତୁ ଏବେ ବି ଗୋଟିଏ ସମସ୍ୟା ରହିଛି ଯେ ଶିବସେନାରେ ରହି ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକ ବିଜେପିକୁ ସମର୍ଥନ ଦେଇପାରିବେନି । ଆଗକୁ ମହାରାଷ୍ଟ୍ର ରାଜନୀତିରେ କଣ ଘଟୁଛି ସମସ୍ତଙ୍କ ନଜର ରହିଛି ।