ରକ୍ତ ସଂକ୍ରମଣର ଶିକାର ରାହୁଲ, ହସ୍ପିଟାଲରେ ରହିବ ସାତ ଦିନ
ରାୟପୁର: ରାହୁଲର ସ୍ବାସ୍ଥ୍ୟ ବିବରଣୀ ଜାରି କଲା ଆପୋଲୋ ହସ୍ପିଟାଲ । ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡ. ସୁଶୀଲ କୁମାର ଜାରି କଲେ ମେଡିକାଲ ବୁଲେଟିନ । ରାହୁଲର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂର୍ବାପେକ୍ଷା ସେ ଭଲ ଅଛି । କିନ୍ତୁ ରାହୁଲ ଶରୀରରେ ଅଧିକାଂଶ ସଂକ୍ରମଣ ଦେଖାଯାଇଥିବା ବୁଲେଟିନରେ ଉଲ୍ଲେଖ ହୋଇଛି।
ଦିଲ୍ଲୀ ଆପୋଲୋ ହସ୍ପିଟାଲରୁ ନିଆଯାଉଛି ପରାମର୍ଶ । ଆହୁରି ଯାଞ୍ଚ ରିପୋର୍ଟ ଆସିବାକୁ ବାକି ରହିଛି । ଦିନେ କି ଦୁଇ ଦିନ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।୫ ରୁ ୬ ଜଣ ଡାକ୍ତର ରାହୁଲର ଚିକିତ୍ସା କରୁଛନ୍ତି । ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ ବୋଲି ମେଡିକାଲ ବୁଲେଟିନରେ ଦର୍ଶାଯାଇଛି ।
ଦୀର୍ଘ ୫ ଦିନ ବୋରୱେଲ ଗର୍ତ୍ତ ଭିତରେ ରହିବା ପରେ ରାହୁଲ ଠାରେ ଚର୍ମରୋଗ ଦେଖାଦେଇଛି । ଶରୀରର ଅଧିକାଂଶ ଭାଗ ସଂକ୍ରମଣର ଶିକାର ହୋଇଛି ।ଲଗାତାର ପାଣିରେ ରହିବା ଯୋଗୁଁ ତା ଠାରେ ବ୍ୟାକ୍ଟେରିଆ ସଂକ୍ରମଣ ହେବା ସହ ରକ୍ତ ବି ସଂକ୍ରମିତ ହୋଇଛି । ୭ ଦିନ ଅବଜରଭେସନରେ ରଖିବା ପରେ ଡାକ୍ତର ଆଗକୁ ଚିକିତ୍ସା କରିବେ । କାରଣ ଏଭଳି ସଂକ୍ରମଣ ବେଳେବେଳେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
ଛତିଶଗଡ ଜାଞ୍ଜଗିର ଚମ୍ପାରେ ଖେଳୁଥିବା ସମୟରେ ବୋରୱେଲ ପାଇଁ ଖୋଳାଯାଇଥିବା ଗାତରେ ପଡିଯାଇଥିଲା ରାହୁଲ । ଦୀର୍ଘ ୧୦୪ ଘଣ୍ଟାର ଅପରେସନ ପରେ ସେ ଗତକାଲି ସୁରକ୍ଷିତ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହୁଲଙ୍କ ସାହସ ଓ ରେସକ୍ୟୁ ଟିମର ବିଶ୍ବାସ ଏହି ମିଶନକୁ ଦେଇଥିଲା ସଫଳତା । ଏସଡିଆରଏଫ୍, ଏନଡିଆରଏଫ ଏବଂ ସେନାର ଅବିଶ୍ରାନ୍ତ ଉଦ୍ୟମ ଆଗରେ ହାର ମାନିଥିଲା ସମସ୍ତ ବାଧାବିଘ୍ନ ।