ସିଦ୍ଧୁ ମୁସେବାଲାଙ୍କ ଶରୀର ଫୁଟି ବାହାରି ପଡ଼ିଛି ୨୪ଟି ଗୁଳି
ଅମୃତସର: ଭୟଭୀତ କରିଛି ପଞ୍ଜାବୀ ଗାୟକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପାଞ୍ଚ ଜଣିଆ ଡାକ୍ତରୀ ପ୍ୟାନେଲ କରିଛି ପୋଷ୍ଟମର୍ଟମ । କିନ୍ତୁ ପୋଲିସକୁ ହସ୍ତାନ୍ତର ହୋଇନାହିଁ ଏହି ରିପୋର୍ଟ । ମିଳିଥିବା ଗୁପ୍ତ ସୂଚନା ମୁତାବକ ସିଦ୍ଧୁ ମୁସେବାଲାଙ୍କୁ ହୋଇଛି ୩୦ ରାଉଣ୍ଡ ଫାୟାରିଂ । କିନ୍ତୁ ଭୟଭୀତ କରିଛି ଏହି ଗୁଳିକାଣ୍ଡ । କାରଣ ୩୦ ଗୁଳି ମଧ୍ୟରୁ ୨୪ଟି ଗୁଳି ସିଦ୍ଧୁ ମୁସେବାଲାଙ୍କ ଶରୀର ପଶି ବାହାରି ଯାଇଛି । ହାଇ ଟେକନିକ ବନ୍ଧୁକରେ ଫାୟାରିଂ ହୋଇଥିବା ଅନୁମାନ କରାଯାଉଛି ।
ମନସା ଜିଲ୍ଲା ହସ୍ପିଟାଲରେ ପୋଷ୍ଟମର୍ଟମ ଚାଲିଥିଲା । ଏହି ସମୟରେ ଜଣା ପଡିଥିଲା ଯେ, ମୁସେବାଲାଙ୍କ ଶରୀରରେ ଦୁଇ ଡର୍ଜନରୁ ଅଧିକ ଗୁଳି ବାଜିଛି । ଅଧିକ ରକ୍ତସ୍ରାବ ଯୋଗୁଁ ହିଁ ସିଦ୍ଧୁଙ୍କ ମୃତ୍ୟୁ ଘଟିଛି । ତେବେ ସିଦ୍ଧୁଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତତ୍କାଳୀନ କଂଗ୍ରେସ ସରକାର ସୁରକ୍ଷା ଯୋଗାଇ ଦେଇଥିବାବେଳେ ଆପ ସରକାର ନିକଟରେ ଉଠାଇଥିଲା ସୁରକ୍ଷା ବ୍ୟବସ୍ଥା । ସେପଟେ ଭିଆଇପି ସୁରକ୍ଷା ହଟିବାର ଗୋଟିଏ ଦିନ ପରେ ମୁସେବାଲାଙ୍କୁ ହୋଇଛି ଗୁଳିକାଣ୍ଡ । ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାକୁ ମାରିବା ପାଇଁ ମିଳିଥିଲା ସୁପାରୀ । ସୁପାରୀ ନେଇଥିଲା ଗାହ୍ଗଷ୍ଟାର ଶାହାରୁଖ । ଶାହାରୁଖ ମୁସେବାଲାଙ୍କ ମାନେଜର ଥିବାବେଳେ ଗୋଲଡ଼ୀ ଏବଂ ଲରେନ୍ସ ସୁପାରୀ ଦେଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ମୁସେବାଲାଙ୍କ ଶରୀରରେ କେମିତି ୨୪ଟି ଗୁଳି ପ୍ରବେଶ କରି ବାହାରି ପଡିଛି । ଏହି ଅତ୍ୟାଧୁନିକ କ୍ଷମତା ସମ୍ପର୍ଣ୍ଣ ବନ୍ଧୁକ ଆସିଲା କେଉଠୁ ? ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ରହିଛି ? ସୁପାରୀ ନେଇଥିବା ମ୍ୟାନେଜର ମର୍ଡର କରିଛି ନା ଆଉ କିଏ ?
ମୁସେବାଲାଙ୍କୁ ପଞ୍ଜାବର ମନସା ଗ୍ରାମ ପାଖରେ ହୋଇଥିଲା ଫାୟାରିଂ । ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ ଏକ ଧଳା ରଙ୍ଗର କାରରେ କିଛି ଦୁର୍ବୁତ୍ତ ଆସିଥିଲେ । ଏବଂ ସିଦ୍ଧୁ ମୁସେବାଲାଙ୍କ ଗାଡିକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ମୁସେବାଲାଙ୍କ ମୃତ୍ୟୁ ଘଟିଥିବାବେଳେ ସାଥିରେ ଥିବା ଦୁଇ ଜଣ ସହାୟକ ଗୁରୁତର ଆହତ ହୋଇଛନ୍ତି ।
