ନିଖୋଜ ନେପାଳ ବିମାନରେ ଥିଲେ ୪ ଓଡିଆ

1 min read

ଭୁବନେଶ୍ୱର: ନେପାଳରେ ନିଖୋଜ ଯାତ୍ରୀବାହୀ ବିମାନରେ ରହିଛନ୍ତି ୪ ଓଡ଼ିଆ  ।  ୨୨ ଜଣ ଯାତ୍ରୀଙ୍କ ନେଇ ଉଡାଣ ଭରିଥିବା ଟ୍ବିନ ଇଞ୍ଜିନ 9 NAET ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ବିମାନରେ ଥିଲେ ୪ଜଣ ଭାରତୀୟ   । ସମସ୍ତେ ନିଖୋଜ ବ୍ୟକ୍ତି  ଓଡ଼ିଶାର ରହିଥିଲେ  ।  ଅଶୋକ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପରିବାର ନିଖୋଜ ଥିବା ଜଣାପଡ଼ିଛି । ତାଙ୍କ କେୟାର ଟେକର ଟିକନ ସାମଲଙ୍କ କହିବା ଅନୁଯାୟୀ ସେ ଭୁବନେଶ୍ବର ଜୟଦେଵ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂ ରେ ରୁହନ୍ତି ।

ମେ ମାସ ୨୬ ତାରିଖରେ ମୁମ୍ବାଇରେ ପତ୍ନୀ ଥିବାରୁ ତାଙ୍କ ପାଖକୁ ଯାଇଥିଲେ । ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାରକୁ ଦେଖା କରିବାକୁ ଯାଇଥିଲେ । ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ । ତାଙ୍କ ଭାଇ ବନ୍ଧୁ ବର୍ଗ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ । ତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରୁନାହିଁ । ଅଶୋକ ଇନଫୋସିଟିରେ କାର୍ଯ୍ୟରତ ରହିଥିବା ସେ ସୂଚନା ଦେଇଛନ୍ତି ।

ରବିବାର ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ ହୋଇଥିବା ସୂଚନା ମିଳିଛି । ତାରା ଏୟାର 9NAET ଟ୍ବିନ ଇଞ୍ଜିନ ବିମାନ ନିଖୋଜ ହୋଇଛି । ସକାଳ ପ୍ରାୟ ୧୦.୩୫ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟ୍ ପୋଖରାରୁ ଜମସମ ଯାଉଥିଲା ଏବଂ ଏହି ବିମାନରେ ୪ ଭାରତୀୟଙ୍କ ସମେତ ୨୨ ଜଣ  ଯାତ୍ରୀ ଯାତ୍ରା କରିଥିଲେ । ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମୁସ୍ତାଙ୍ଗ ଜିଲ୍ଲାର ଜମସମ ଆକାଶରେ ବିମାନ ଦେଖାଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି  ।