ଜାଣନ୍ତୁ କାହିଁକି ବିଦେଶକୁ ଗହମ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର?
ନୂଆଦିଲ୍ଲୀ: ଭାରତରୁ ଗହମ ରପ୍ତାନି ବନ୍ଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଦେଶରେ ଖାଦ୍ୟ ନିରାପତ୍ତା ଓ ପଡ଼ୋଶୀ ତଥା ଦୁର୍ବଳ ରାଷ୍ଟ୍ରଗୁଡ଼ିକର ଖାଦ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେତେ ଗହମ ରପ୍ତାନି ନେଇ ଯେଉଁ ସବୁ ଦେଶକୁ ଲେଟର ଅଫ କ୍ରେଡିଟ ପ୍ରଦାନ କରାଯାଇଥିଲା ସେହି ଦେଶଗୁଡ଼ିକୁ ଗହମ ରପ୍ତାନି ଜାରି ରହିବ । ଏହା ସହ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଦ୍ବାରା ଜାରି ବିଜ୍ଞପ୍ତି ସୂଚୀରେ ରହିଥିବା ଦେଶଗୁଡ଼ିକୁ ଗହମ ଯୋଗାଣ କରାଯିବ ।
ଗତ ଫେବ୍ରୁଆରୀରେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେନ୍ଦ୍ର କରି କୃଷ୍ଣ ସାଗର ଅଞ୍ଚଳରେ ରପ୍ତାନି କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ବିଶ୍ୱର ବହୁ ରାଷ୍ଟ୍ର ଭାରତର ଗହମ ଉପରେ ନିର୍ଭର ହୋଇଆସିଥିଲେ । ଗତ ମାର୍ଚ୍ଚରେ ଦେଶରେ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଗହମ ଚାଷ ଗଭୀର ପ୍ରଭାବିତ ହୋଇଥିଲା । ଏହା ସହ ଏପ୍ରିଲରେ ମୁଦ୍ରାସ୍ଫୀତି ହାର ୭.୭୯କୁ ଯିବା ପରେ ସରକାର ଏହାକୁ ରୋକିବା ଲାଗି ରପ୍ତାନିକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ତଳେ ଗହମ ରପ୍ତାନି ବନ୍ଦ ହେବନାହିଁ ବୋଲି ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି । ଗତ ଫେବ୍ରୁଆରୀରେ ଦେଶରେ ଗହମ ଉତ୍ପାଦନ ପରିମାଣ ୧୧୧.୩ ନିୟୁତ ଟନ ହେବ ବୋଲି ସରକାର ଆକଳନ କରିଥିବାବେଳେ ପରେ ଏହି ପରିମାଣ ୧୦୫ ନିୟୁତ ଟନକୁ ହ୍ରାସ କରିଥିଲେ ।