ଭୁବନେଶ୍ୱର: ୧୪ ବର୍ଷ ପରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବ। ଖୁସିର କଥା ସାରା ଓଡ଼ିଶା ଏବେ ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ବଢୁଛି। ଆଜି ପୁରା ଓଡ଼ିଶାର ସ୍ୱର ଦୃଢ ହୋଇଛି। ୨୦୩୬ ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରା ଦେଶକୁ ମାର୍ଗ ଦର୍ଶନ କରିବବୋଲି ଉତ୍କଳ ଦିବସରେ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆସନ୍ତା ୨୦୩୬ରେ ସାରା ବିଶ୍ବ ପାଇଁ ଓଡ଼ିଶା ସାଜିବ ଉଦାହରଣ । ମହାନ ଭାବଧାରା ସହ ଏକ ମନ, ଏକ ପ୍ରାଣରେ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଆହ୍ବାନ । ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ ଭାଷା, ସାହିତ୍ୟ, ସଂଗୀତ ଲାଗି ତ୍ୟାଗ ଦେଇଥିବା ବରପୁତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ମହାମାରୀ କରୋନା ପରିଚାଳନା ଯାଏ ସାରା ଦେଶରେ ଓଡ଼ିଶା ସାଜିଛି ଉଦାହରଣ ।
ଲୋକଙ୍କ ଜୀବନର ସୁରକ୍ଷା ରାଜ୍ୟ ସରକାରଙ୍କ ହୋଇଛି ପ୍ରମୁଖ ପ୍ରାଥମିକତା । ରାଜ୍ୟର ପ୍ରଗତି ଯାତ୍ରାରେ କମିଛି ବେକାରୀ ହାର । ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ BSKYକୁ ମିଳିଛି ଅଦ୍ଭୁତ ସଫଳତା । ମାଆ, ମାଟି ଓ ଗରିବଙ୍କ ପାଇଁ ସବୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ମୋ ସରକାର ଓ 5T ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ଆଣିଛି । ସମସ୍ତଙ୍କୁ ଘର ଓ ପିଇବା ପାଣି ଯୋଗାଇବା କାମ ଜୋରଦାର ଚାଲିଛି । ଶିକ୍ଷା, ସ୍ବାସ୍ଥ୍ୟ, ଖେଳ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଆମାନେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି ।
ଓଡ଼ିଶା ଏବେ ଏକ ଆଗୁଆ ରାଜ୍ୟ ହୋଇପାରିବା ସହ ଓଡ଼ିଆ ପୁଅ, ଝିଅଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି ହୋଇଛି । ଓଡ଼ିଶା ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ଆମେ ସମସ୍ତେ ମିଳିମିଶି ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍କଳ ଦିବସ ଅବସରରେ ଆଜି ସନ୍ଧ୍ୟା ୬ଟାରେ ସାରା ରାଜ୍ୟରେ ପ୍ରକମ୍ପିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀର ଝଙ୍କାର ।

