ଋଷ-ୟୁକ୍ରେନ୍ ଯୁଦ୍ଧ: ପ୍ରଶ୍ନବାଣରେ ଘାଇଲା ଭାରତର ବ୍ରିଟେନ ଜ୍ବାଇଁ

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ପାଇଁ ସମସ୍ୟାରେ ପଡିଛନ୍ତି ବ୍ରିଟେନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜ୍ବାଇଁ ରିଷି ସୁନକ । ଭାରତ ସହ ସମ୍ପର୍କ ଓ ଋଷ ସହ ତାଙ୍କ ପତ୍ନୀଙ୍କ ବ୍ୟବସାୟକକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ସୁନକ । ସ୍ଥିତି ଏମିତି ଯେ, ବ୍ରିଟେନ ରାଜନୀତିରେ ଦ୍ବିତୀୟ କ୍ଷମତାଶୀଳ ବ୍ୟକ୍ତି ତଥା ଭବିଷ୍ୟତର ପ୍ରଧାନମନ୍ତ୍ରୀ କୁହାଯାଉଥିବା ସୁନକଙ୍କୁ ଏହାକୁ ନେଇ ଏବେ ସଫେଇ ଦେବାକୁ ପଡିଛି ।

ସୂଚନାଯୋଗ୍ୟ, ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁରୋପୀୟ ଦେଶ, ନାଟୋ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି । ଆମେରିକା, ବ୍ରିଟେନ ସହ ପ୍ରାୟ ସବୁ ପଶ୍ଚିମ ଦେଶ ଋଷ ଉପରେ ଆର୍ଥିକ ଓ ବ୍ୟବସାୟୀଙ୍କ ପ୍ରତିବନ୍ଧକ ଥୋପିବାରେ ଲାଗିଛନ୍ତି । ଏମିତି ସମୟରେ ଭାରତୀୟ କମ୍ପାନୀ ଇମ୍ଫୋସିସ୍ ଋଷରେ ନିଜର ବ୍ୟବସାୟ ଜାରି ରଖିଛି । ଏହି କମ୍ପାନୀର ମାଲିକ ହେଉଛନ୍ତି ସୁନକଙ୍କ ଶ୍ବଶୁର ତଥା ଇମ୍ଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି । ଏହି କମ୍ପାନୀରେ ନାରାୟଣଙ୍କ ଝିଅ ତଥା ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଭାଗିଦାରୀ ରହିଛି । ଏହାକୁ ନେଇ ସୁନଙ୍କ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି ।

ସୁନକ ଋଷ ଉପରେ ଅଧିକରୁ ଅଧିକ ପ୍ରତିବନ୍ଧକ ଲଗାଇବାକୁ ବିଶ୍ବବାସୀଙ୍କୁ ଆହ୍ବାନ ଦେଉଥିବା ବେଳେ ନିଜ ଘର ଲୋକ ତାଙ୍କ କଥା ମାନୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଯାହା ସୁନକଙ୍କ ପତ୍ନୀ ଅକ୍ଷତାଙ୍କ ଆଡକୁ ଇସାରା କରୁଛି ।

ସ୍କାଏ ନ୍ୟୁଜ ସାମ୍ବାଦିକ ଏହାକୁ ନେଇ ସୁନକଙ୍କୁ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ, ଋଷ ସହ ଆପଣଙ୍କ ପରିବାରର ସମ୍ପର୍କ ରହିଛି । ଆପଣଙ୍କ ପତ୍ନୀ ଭାରତୀୟ କମ୍ପାନୀ ଇମ୍ଫୋସିସର ଭାଗିଦାର ଅଛନ୍ତି । ଇମ୍ପୋସିସର ଋଷ ସହ ବ୍ୟବସାୟୀକ ସମ୍ପର୍କ ରହିଛି । ଋଷରେ କମ୍ପାନୀର ଅଫିସ୍ ମଧ୍ୟ ଅଛି । ମସ୍କୋର ଆଲଫା ବ୍ୟାଙ୍କ ସହ କମ୍ପାନୀ ବ୍ୟବସାୟ କରୁଛି । ଆପଣ ଅନ୍ୟମାନଙ୍କୁ ଋଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ବାନ ଦେଉଛନ୍ତି । ହେଲେ ଆପଣଙ୍କ ଘର ଲୋକ ଏହାକୁ ପାଳନ କରୁନାହାନ୍ତି ।

ଉତ୍ତରରେ ସୁନକ କହିଥିଲେ, ଜଣେ ରାଜନେତା ଭାବେ ଋଷ ଉପରେ ପ୍ରତିବନ୍ଧ ଲଗାଯିବା ସପକ୍ଷରେ ମୁଁ ରହିଛି । ମୋ ପତ୍ନୀ କୌଣସି ରାଜନେତା ନୁହନ୍ତି । ଇମ୍ଫୋସିସରେ ଅକ୍ଷତାଙ୍କ ସେୟାର ଅଛି । ହେଲେ ସେ ବ୍ରିଟେନର ନିର୍ବାଚିତ ସାଂସଦ ନୁହଁନ୍ତି । ଇମ୍ଫୋସିସର ବ୍ୟବସାୟକୁ ନେଇ ମୁଁ ଉତ୍ତରଦାୟୀ ନୁହେଁ । ମୁଁ ଯେଉଁ କାମ ପାଇଁ ଅଛି, ସେହି କାମ ଉପରେ ଚର୍ଚ୍ଚା କରୁଛି ।

ସାମ୍ବାଦିକ ପୁଣି ପ୍ରଶ୍ନ କରିଥିଲେ, ଆପଣଙ୍କୁ ଲାଗୁନି ଆପଣଙ୍କ ପରିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ସରକାରକୁ ଲାଭ ହେବା ପରି କାମ କରୁଛି ?

ଉତ୍ତରରେ ସୁନିକ କହିଥିଲେ, ମୋତେ ଏମିତି ଲାଗୁନାହିଁ । କମ୍ପାନୀ କେମିତି କାମ କରିବ ତାହା ତାଙ୍କ ଉପରେ ନିର୍ଭର କରେ । ଆମେ ଯେଉଁ କମ୍ପାନୀ ପାଇଁ ଉତ୍ତରଦାୟୀ ସେ କମ୍ପାନୀମାନେ ଋଷ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପାଳନ କରୁଛନ୍ତି ।