ଉତ୍ତରାଖଣ୍ଡରେ ଇତିହାସ: ପୁଣି ସତ୍ତାକୁ ଫେରିଲା ବିଜେପି

ଡେରାଡୁନ: ୨୧ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ଲେଖିଲେ ଉତ୍ତରାଖଣ୍ଡ ଜନତା । ବିଧାନସଭା ନିର୍ବାଚନରେ ସରକାରୀ ଦଳର ପରାଜୟ ରେକର୍ଡ ଭାଙ୍ଗି ପୁଣି ସରକାର ଗଠନ କରିବାକୁ ଯାଉଛି ବିଜେପି । ହେଲେ ବିଜେପିର ଏହି ଇତିହାସ ଲେଖିବାରେ କର୍ଣ୍ଣଧାର ସାଜିଥିବା ନେତା ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ନିଜେ ପରାଜିତ ହୋଇଛନ୍ତି ।

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ବର୍ତ୍ତମାନ ଭୋଟ ଗଣତି ସୁଦ୍ଧା ବିଜେପି ୪୮ ଆସନ ଆଗରେ ରହିଛି । କଂଗ୍ରେସ ୧୮ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ୪ଟି ଆସନରେ ଆଗରେ ରହିଛନ୍ତି । ସରକାର ଗଠନ ପାଇଁ ୩୬ ଆସନ ଆବଶ୍ୟକ ଥିବା ବେଳେ ବହୁମତଠାରୁ ବହୁ ଆଗରେ ରହିଛି ବିଜେପି ।

ଉତ୍ତରାଖଣ୍ଡ ଗଠନ ପରେ ୨୦୨୨ରେ ପଞ୍ଚମ ଥର ଲାଗି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୧ ବର୍ଷ ଇତିହାସରେ ପୂର୍ବ ୪ଟି ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ସରକାରକୁ ଆସିଥିଲେ । ଅର୍ଥାତ ସରକାରୀ ଦଳଙ୍କୁ ଏଠାରେ ପରାଜୟ ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡ ଜନତାଙ୍କ ଏହି ମୁଡକୁ ନେଇ କଂଗ୍ରେସ ଆଶାବାଦୀ ହୋଇଯାଇଥିଲା । ପ୍ରତିଥର ଭଳି ଜନତା ବିଜେପିକୁ ହଟାଇ ପୁଣି ଥରେ କଂଗ୍ରେସକୁ କ୍ଷମତାକୁ ଫେରାଇବେ ବୋଲି ଦଳ ଧରି ନେଇଥିଲା । କଂଗ୍ରେସ ହେବିଓ୍ବେଟ୍ ନେତା ମଧ୍ୟ ରାଜ୍ୟରେ ଡେରା ପକାଇ ପ୍ରଚାରକୁ ଜୋରଦାର କରିଥିଲେ । ହେଲେ, ଜନତା ବିଜେପିକୁ ଦ୍ବିତୀୟ ଥର କ୍ଷମତାକୁ ଆଣିବାକୁ ମନ ସ୍ଥିର କରି ନେଇଥିଲେ । ଯାହାର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ।

ନିଜ ସିଟ୍ ବଞ୍ଚାଇ ପାରିଲେନି ପୁଷ୍କର

ବିଜେପିକୁ ଜିତାଇ ଇତିହାସ ଲେଖିବାକୁ ଯାଉଥିବା ପୁଷ୍କର ଧାମୀ କିନ୍ତୁ ନିଜ ଆସନ ଖଠିମାରୁ ପରାଜିତ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପଡି ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ୬୦୦୦ ଭୋଟରେ ପରାସ୍ତ କରିଛନ୍ତି । ପୂର୍ବରୁ ଏହି ଆସନରୁ ଦୁଇ ଥର ବିଧାୟକ ହୋଇ ଉତ୍ତରାଖଣ୍ଡ ବିଧାନସଭାକୁ ଯାଇଥିବା ଧାମୀଙ୍କୁ ସ୍ଥାନୀୟ ଜନତା ପ୍ରତ୍ୟାଖାନ କରିଛନ୍ତି । ଧାମୀଙ୍କ ପରାଜୟ ପରେ ଏବେ ପ୍ରଶ୍ନ ଉଠୁଛି, ଉତ୍ତରାଖଣ୍ଡରେ ଏବେ ବିଜେପି କହାକୁ ମୁଖ୍ୟମନ୍ତ୍ରୀ କରିବେ ।

ଜଣଙ୍କୁ ଛାଡ଼ି ହାରିଲେ ସବୁ ମୁଖ୍ୟମନ୍ତ୍ରୀ 

ମଜାଦାର କଥା ହେଲେ ଉତ୍ତରାଖଣ୍ଡରେ ନିର୍ବାଚନ ଲଢିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡି ସମସ୍ତ ମୁଖ୍ୟମନ୍ତ୍ରୀ ପରାଜିତ ହୋଇଛନ୍ତି । ଭଗତ ସିଂହ କୋଶ୍ୟାରୀ ବିଜୟୀ ହୋଇଥିବା ବେଳେ ଧାମୀଙ୍କ ସହ ଅନ୍ୟ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜିତ ହୋଇଛନ୍ତି ।