ଠକ ଓ ଠକେଇକୁ ନେଇ କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ
1 min read
ଭୁବନେଶ୍ୱର: ଠକଙ୍କ କବଜାରେ ରାଜଧାନୀ । ଚାକିରି ହେଉ ଅବା ଘର ଓ ଫ୍ଲାଟ୍ ଦେବା ବାହାନାରେ ଲୋକଙ୍କୁ ଲଗାଇଛନ୍ତି ଚୂନ । ୧୮୧ ଜଣ ଠକଙ୍କ ହାତରେ ହାତକଡ଼ି ପିନ୍ଧାଇଛି ପୋଲିସ । ଠକ ଓ ଠକେଇକୁ ନେଇ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ୨୦୨୧ ମସିହା ନଭେମ୍ବର ୩୦ ସୁଦ୍ଧା ୨୨ଟି ଥାନାରେ ୭୯୧ଟି ଠକେଇ ମାମଲା ରୁଜୁ ହୋଇଛି । ଠକେଇ ମାମଲାରେ ୧୮୧ ଜଣ ଗିରଫ ହୋଇଥିବା ବେଳେ ୧୭୭ ଜଣ ପୁରୁଷ ଓ ୪ ଜଣ ମହିଳା ଗିରଫ ହୋଇଛନ୍ତି । ବଡ଼ଗଡ଼ ଥାନାରେ ସର୍ବାଧିକ ୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ଖଣ୍ଡଗିରି ଥାନାରେ ୭୯ଟି, ଚନ୍ଦ୍ରଶେଖରପୁର ଥାନାରେ ୬୧ଟି ଏବଂ କ୍ୟାପିଟାଲ ଥାନାରେ ୫୫ଟି ଓ ଲକ୍ଷ୍ମୀସାଗର ଥାନାରେ ୫୪ ଟି ମାମଲା ରୁଜୁ ହୋଇଛି । ସେହିପରି ମହିଳା ଥାନାରେ ସର୍ବନିମ୍ନ ୫ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବାଲିପାଟଣାରେ ୮ଟି, ନନ୍ଦନକାନନରେ ୧୨ଟି, ତମାଣ୍ଡୋରେ ୧୪ଟି ଏବଂ ଖାରବେଳନଗର ଥାନାରେ ୧୭ଟି ଠକେଇ ମାମଲା ପଞ୍ଜିକୃତ ହୋଇଛି । ସେହିପରି ବଡ଼ଗଡ଼ ଥାନା ସର୍ବାଧିକ ୪୫ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଇନଫୋସିଟି ଥାନା ୨୨ଟି ମାମଲା, ଲକ୍ଷ୍ମୀସାଗର ୨୦ଟି ଏବଂ ସହିଦନଗର ଥାନା ୧୯ ଟି ମାମଲାର ତଦନ୍ତ ଶେଷ କରିଛି ।
ଭୁବନେଶ୍ୱରରେ ବଢ଼ି ଚାଲିଥିବା ବିଭିନ୍ନ ଠକେଇ ମାମଲାକୁ ରୋକିବା ନେଇ କମିଶନରେଟ୍ ପୋଲିସ ଆରମ୍ଭ କରିଥିଲା ଆଣ୍ଟି ଫ୍ରଡ୍ ସେଲ୍ । ଠକେଇର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଥିଲା । ଏହି ସେଲରେ ଚଳିତ ବର୍ଷ ଡିସେମ୍ବର ୨୧ ସୁଦ୍ଧା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଠକେଇ ଜନିତ ୧୮୭ଟି ମାମଲାର ସମୀକ୍ଷା କରାଯାଇ ୭୩ଟି ମାମଲାରେ ତଦନ୍ତ ଶେଷ କରିବାରେ ସେଲ ସାହାଯ୍ୟ କରିଛି । ହେଲେ ଏବେ ବି ଅନେକ ଠକେଇ ମାମଲାରେ ପୋଲିସର ହାତ ଖାଲି ।
ଠକେଇର ରିପୋର୍ଟ କାର୍ଡ
- ଗତ ଏପ୍ରିଲ୍ ମାସରେ OLXରେ ବିଜ୍ଞାପନ ଦେଇ ଲୋକଙ୍କୁ ଗାଡ଼ି କିଣାଇ ଦେବାର ପ୍ରତିଶ୍ରୁତି ଦେଇ କଳାକନା ବୁଲାଉଥିବା ଧଉଳି ଗୋପୀନାଥପୁର ଗାଁର ତୃପ୍ତି ରଞ୍ଜନ ଦାସଙ୍କୁ ଗିରଫ କରିଥିଲା ବଡ଼ଗଡ଼ ଥାନା ପୋଲିସ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମବିଏ ତଥା ଏଲଏଲବି ଶିକ୍ଷା ସମାପ୍ତ କରିଥିବା ତୃପ୍ତି ଗାଡ଼ି ଦେବା ନାଁରେ ବିଭିନ୍ନ ଲୋକଙ୍କ ପାଖରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ୍ ମାରୁଥିଲା । ତୃପ୍ତି ରଞ୍ଜନ ଦାସ ନାମକ ଏହି ଠକ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୪୭ଟି ମାମଲା ପଞ୍ଜିକୃତ ହୋଇଥିଲା ।
- ଆଣ୍ଟି ଫ୍ରଡ୍ ସେଲ୍ ତଥା ସହିଦନଗର ଥାନାର ମିଳିତ ଉଦ୍ୟମରେ ପ୍ଲଟ୍ ନମ୍ବର ୬୯, ଶହୀଦନଗରସ୍ଥିତ ମାଆ ତାରିଣୀ ଇଷ୍ଟକନ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ନିରଞ୍ଜନ ରଣାଙ୍କୁ ଗିରଫ କରାଯାଇଥିଲା । ନିରଞ୍ଜନ ସହିଦନଗର ଥାନାର ୧୫ଟି ମାମଲା, ବାଲିଅନ୍ତା ଥାନାର ୮ଟି ମାମଲା ଏବଂ ବଡ଼ଗଡ଼ ଥାନାର ୨ ଟି ମାମଲାରେ ଅନ୍ତର୍ଭୁକ୍ତ ଥିଲେ ।
- ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଗୟାଧର ଜେନା ଆଣ୍ଟି ଫ୍ରଡ୍ ସେଲ୍ ତଥା ଶହିଦନଗର ଥାନାର ମିଳିତ ଉଦ୍ୟମରେ ଗିରଫ ହୋଇଥିଲେ । ଗୟାଧର ଜେନାଙ୍କ ନାମରେ ୨୦୧୪ ମସିହାରୁ ସହିଦନଗର ଥାନାରେ ୬ଟି ମାମଲା, ଲକ୍ଷ୍ମୀସାଗର ଥାନାରେ ୧୫ ଟି ମାମଲା ତଥା ମଞ୍ଚେଶ୍ଵର ଥାନାରେ ୦୫ଟି ବିଭିନ୍ନ ମାମଲା ରୁଜୁ ହୋଇଥିଲା ଏବଂ ସେ ମଧ୍ୟ ଆଗରୁ ବହୁତ ଥର ଜମି ଜାଲିଆତି ସହ ଠକାମୀ କରି ଜେଲ୍ ଯାଇଥିଲେ ।
- ନାଗେଶ୍ଵରଟାଙ୍ଗୀର M/S ଆପୋଲୋ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଦୀପକ ମହାନ୍ତି ମଧ୍ୟ ଆଣ୍ଟି ଫ୍ରଡ୍ ସେଲର ଅଫିସର ମାନଙ୍କ ଉଦ୍ୟମ କ୍ରମେ ଗିରଫ ହୋଇଥିଲେ । ଦୀପକ ମହାନ୍ତିଙ୍କ ନାମରେ ବଡ଼ଗଡ଼ରେ ୨୭ ଲକ୍ଷ ଟଙ୍କା ଓ ଜଟଣୀ ଥାନାରେ ୧ କୋଟି ଟଙ୍କା ହଡ଼ପ ଅଭିଯୋଗ ଥିଲା ଏବଂ ସେ ଲିଙ୍ଗରାଜ ଥାନାର ଦୁଇଟି ମାମଲାରେ ଅନ୍ତର୍ଭୁକ୍ତ ଥିଲେ ।
- ଶୁଭମ ପ୍ଲେସମେଣ୍ଟ ଆଣ୍ଡ ସର୍ଭିସେସର ଡାଇରେକ୍ଟର ବିଶ୍ଵରଞ୍ଜନ ତ୍ରିପାଠୀ ଚାକିରି ଯୋଗାଇଦେବା ଆଳରେ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ପଇସା ଠକେଇ କରି ଚନ୍ଦ୍ରଶେଖରପୁର ଥାନାର ଏକ ମକଦ୍ଦମାରେ ଗିରଫ ହୋଇଥିଲେ ।
- ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚ ଗାଁ ଅଞ୍ଚଳର ପବିତ୍ର କୁମାର ଦାସଙ୍କୁ ୧୧ ଲକ୍ଷ ୫୦ ହଜାର ଟଙ୍କାର ଠକେଇ ମାମଲାରେ ଗିରଫ କରାଯାଇଥିଲା । ମାମଲାର ତଦନ୍ତ ସମୟରେ ସୁନ୍ଦରପଦାର ଠକାମୀର ଶିକାର ହୋଇଥିବା ଅଭିଯୋଗକାରୀ ଜଣକ ୯ ଲକ୍ଷ ଟଙ୍କା ଫେରିପାଇଥିଲେ।
- ଭରତପୁର ଥାନା ଅଧୀନରେ ଥିବା ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କଳିଙ୍ଗ ନଗର ବ୍ରାଞ୍ଚରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମକରୁଥିବା ମୀନା ନାୟକଙ୍କୁ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କାର ଠକେଇ ମାମଲାରେ ୨୧.୧୨.୨୦୨୧ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।