୩୬ ଘଣ୍ଟା ପରେ ସରିଲା ଅତର ବ୍ୟବସାୟୀଙ୍କ ଟଙ୍କା ଗଣତି
ଲକ୍ଷ୍ଣୌ: ୩୬ ଘଣ୍ଟା ପରେ ସରିଲା କାଉଣ୍ଟିଂ । ଉତ୍ତରପ୍ରଦେଶ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଜମା ଟଙ୍କାକୁ ଗଣିବା ଲାଗି ଚାଲିଥିବା ପ୍ରକ୍ରିୟା ଶେଷ ହୋଇଛି । ଟଙ୍କା ଗଣତି ଲାଗି ବ୍ୟବହୃତ ହୋଇଥିଲା ୫ଟି କାଉଣ୍ଟିଂ ମେସିନ । ଆୟକର ବିଭାଗ ଓ ଜିଏସଟି ଗୁଇନ୍ଦା ବିଭାଗ ପକ୍ଷରୁ ହୋଇଥିବା ରେଡରେ ୧୫୧ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ପୀୟୂଷଙ୍କ ଘରର କେତେକ ସେଲଫରେ ଏହି ଟଙ୍କା ଜରି ପ୍ୟାକିଂ କରାଯାଇ ରଖାଯାଇଥିଲା ।
କାନପୁରର ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପ୍ରାଇଭେଟ ଲିମିଟେଡ ଓ ଗଣପତି ରୋଡ କ୍ୟାରିୟର୍ସର ଗୋଦାମରେ ଜିଏସଟି ଗୁଇନ୍ଦା ବିଭାଗର ଅହମ୍ମଦାବାଦ ୟୁନିଟ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ତ୍ରିମୂର୍ତ୍ତି ଫ୍ରାଗ୍ରାନ୍ସ ପକ୍ଷରୁ ଶିକାର ବ୍ରାଣ୍ଡ ପାନ ମସଲା ତିଆରି ହେଉଥିଲା । ଏହି ସବୁ ସାମଗ୍ରୀକୁ ଗଣପତି ରୋଡ କ୍ୟାରିୟର୍ସ ଜରିଆରେ ପରିବହନ କରାଯାଉଥିବା ଟିମ୍ ଜାଣିବାକୁ ପାଇଛି । ଭୂତ କମ୍ପାନୀ ନାଁରେ ଜାଲ୍ ଇନଭଏସ ଓ ଓ୍ୱେବିଲ୍ ପ୍ରସ୍ତୁତ କରି କୋଟି କୋଟି ଟଙ୍କାର ସାମଗ୍ରୀ ପରିବହନ ହେଉଥିଲା । ଠକେଇ ଘଟଣାରେ ୪ଟି ଟ୍ରକ ଜବତ କରାଯାଇଛି । ଜାଲିଆତି ଘଟଣାରେ ୨୦୦ରୁ ଅଧିକ ଫେକ୍ ଇନଭଏସ ମଧ୍ୟ ଜବତ ହୋଇଛି । ସେହିପରି ପରିବହନ ସଂସ୍ଥା ନିକଟରୁ ୧ କୋଟି ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ନେବା ଲାଗି ଏକ କଣ୍ଟେନର ଅଣାଯାଇଥିଲା ଏବଂ ୨୧ଟି ଟିଣ ପେଡ଼ିରେ ସେ ସବୁକୁ ପ୍ୟାକିଂ କରି ନିଆଯାଇଥିଲା । କାନପୁରର ଆନନ୍ଦପୁରୀ ଅଞ୍ଚଳରେ ଥିବା ପୀୟୂଷଙ୍କ ଘରେ ଗତକାଲି ହୋଇଥିଲା ରେଡ୍ ।
ଏଥିସହିତ ପଢ଼ନ୍ତୁ: କ୍ରିକେଟରୁ ସନ୍ୟାସ ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ ହରଭଜନ!