ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷକ ଆଇନକୁ ପ୍ରତ୍ୟାହାର ପାଇଁ ଘୋଷଣା କରିଥିବାରୁ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସ୍ବାଗତ କରିଛନ୍ତି । ହେଲେ କଂଗ୍ରେସ ପକ୍ଷରୁ ଏହି ଦିନକୁ ବିଜୟ ଦିବସ ପାଳନକୁ ସମାଲୋଚନା କରିଛନ୍ତି । କଂଗ୍ରେସ ଅଳ୍ପ ଆସନ ଜିତି ବିଜୟ ଦିବସ ପାଳିବାର କୌଣସି ସୁଯୋଗ ନାହିଁ । ତେଣୁ ବିଜୟ ଦିବସ ପାଳନ ପାଇଁ ତାହାକୁ ଏକ ବାହାନା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ ରୁପାଲା କହିଛନ୍ତି ।
ରୁପାଲାଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ରଖିଛି କଂଗ୍ରେସ । ଅହଂକାରୀ ଶାସକର ପରାଜୟ ହୋଇଛି । ୭୫୦ ଚାଷୀଙ୍କ ବଳିଦାନ ସହ ଲକ୍ଷ ଲକ୍ଷ ଚାଷୀଙ୍କ ବିରୋଧ ଯୋଗୁଁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି । ଚାଷୀଙ୍କ ବିଜୟ ହୋଇଛି । ଏଥିରେ ବିଜୟ ଦିବସ ପାଳିବାରେ ଅସୁବିଧା କେଉଁଠି ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ଲାଜ ନଥିବାରୁ ଏଭଳି କହୁଛନ୍ତି ବୋଲି ପଞ୍ଚାନନ କହିଛନ୍ତି ।

