ଆବଶ୍ୟକ ପଡ଼ିଲେ ପୁଣି ଫେରିବ କୃଷି ଆଇନ: କାଲରାଜ ମିଶ୍ର

ନୂଆଦିଲ୍ଲୀ: ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ଉତ୍ସବ ମନାଉଛନ୍ତି ଚାଷୀ । ବର୍ଷକର ଆନ୍ଦୋଳନ, ୭୦୦ରୁ ଅଧିକ ଚାଷୀଙ୍କ ବଳିଦାନ ଆଗରେ ଶେଷରେ ମୁଣ୍ଡ ନୁଆଁଇଛନ୍ତି ଅହଂକାରୀ କେନ୍ଦ୍ର ସରକାର । ବିବାଦୀୟ ଆଇନ ପ୍ରତ୍ୟାହାର ପୂର୍ବରୁ ବିରୋଧୀଙ୍କ ଟାର୍ଗେଟରେ ଥିଲେ କେନ୍ଦ୍ର ସରକାର । ପ୍ରତ୍ୟାହାର ନେଇ ଘୋଷଣା ପରେ ବି ବିରୋଧୀଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ମୋଦି ସରକାର । ଏମିତି ସ୍ଥିତିରେ ମୋଦି ସରକାରଙ୍କ ଅଡୁଆ ବଢ଼ାଇବା ଭଳି ବୟାନ ଦେଇଛନ୍ତି ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର । ଆବଶ୍ୟକ ପଡ଼ିଲେ ପୁଣି ଥରେ କୃଷି ଆଇନ ଅଣାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିରୋଧୀ ଓ ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ କିଛି ଲୋକ ଏହାକୁ ପୁଣି ଥରେ ଆଣିବାକୁ ଦାବି କରୁଛନ୍ତି । ଚାଷୀ ସଂଗଠନଗୁଡିକ ମଧ୍ୟ ଏମିତି ହେବା ଆଶଙ୍କା ପ୍ରକାଶ କରିଛନ୍ତି । ସେଥିପାଇଁ ସଂସଦରେ କୃଷି ଆଇନ ପ୍ରତ୍ୟାହାରରେ ମୋହର ଲାଗିବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି କହି ସାରିଛନ୍ତି ।

କାଲରାଜ ମିଶ୍ର କହିଛନ୍ତି, ‘କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । କୃଷି ଆଇନ ଚାଷୀଙ୍କ ହିତ ପାଇଁ ଥିଲା । ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ହେଲେ ଆାଇନ ପ୍ରତ୍ୟାହାର ଦାବିରୁ ହଟି ନଥିଲେ ଚାଷୀ । ଶେଷରେ ଆଇନ ପ୍ରତ୍ୟାହାର କରିନେବାକୁ ସରକାର ହୃଦୟଙ୍ଗମ କଲେ ।’

ସେ ଆହୁରି କହିଥିଲେ, ‘ଆବଶ୍ୟକ ପଡ଼ିଲେ ପୁଣି ଥରେ କୃଷି ଆଇନ ଅଣାଯିବ । ବର୍ତ୍ତମାନ ପାଇଁ ଏହାକୁ ପ୍ରତ୍ୟାହାର କରାଯାଉଛି ।’

କେବଳ ରାଜସ୍ଥାନ ରାଜ୍ୟପାଳ ନୁହଁନ୍ତି, ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ କୃଷି ଆଇନ ପୁଣି ଅଣାଯିବା ନେଇ ମତ ରଖିଛନ୍ତି । ସେ କହିଛନ୍ତି, ‘ଆଇନ ତିଆରି ହୋଇଥାଏ, ଭାଙ୍ଗି ଥାଏ । ପୁଣି ଥରେ ଆସିଥାଏ ।’ ସେହିପରି ଫାରୁକବାଦର ବିଜେପି ସାଂସଦ ମୁକେଶ ରାଜପୁର କୃଷି ଆଇନ ପ୍ରତ୍ୟାହାର ନେଇ ଅସହମତି ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ବାଧ୍ୟ ବାଧକତାରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

Leave a Reply