ବିଜେପିର ବିକାଶ ମଡେଲ ଗୁଜରାଟରେ ଶିଶୁଙ୍କ ସ୍ଥିତି ସାଂଘାତିକ, ଦେଶର ତିନି ସର୍ବାଧିକ ଶିଶୁ କୁପୋଷଣ ରାଜ୍ୟଙ୍କ ମଧ୍ୟରେ ଗୁଜରାଟ

1 min read

ନୂଆଦିଲ୍ଲୀ: ଭାରତରେ ମୋଟ ୩୩ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର । ଏମାନଙ୍କ ମଧ୍ୟରୁ ଅଧିକାଂଶ ତଥାକଥିତ ଆଗୁଆ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ରରେ ରୁହନ୍ତି । କୁପୋଷିତ ଶିଶୁ ସଂଖ୍ୟା ତାଲିକାରେ ସବା ଉପରେ ଅଛନ୍ତି ଗୁଜରାଟ,ମହାରାଷ୍ଟ୍ର ଓ ବିହାର ଭଳି ରାଜ୍ୟ । ସୂଚନା ଅଧିକାର ଆଇନ ଅନ୍ତର୍ଗତରେ ମଗାଯାଇଥିବା ତଥ୍ୟ ଦେଇ ଏହା କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ।

କୋଭିଡ କାରଣରୁ ଗରିବଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ କୁପୋଷଣ ମାମଲା ବଢିବ ବୋଲି ମନ୍ତ୍ରଣାଳୟ ଆଶଙ୍କା ବ୍ୟକ୍ତ କରିଛି । ମନ୍ତ୍ରଣାଳୟ ଅନୁସାରେ ୧୪ ଅକ୍ଟୋବର ୨୦୨୧ ସୁଧା ଦେଶରେ ୧୭.୭୬ ଲକ୍ଷ ଶିଶୁ ଗମ୍ଭୀର କୁପୋଷଣର (severely acute malnourished-SAM ) ଶିକାର ଅଛନ୍ତି । ସେହିଭଳି ୧୫.୪୬ ଲକ୍ଷ ଶିଶୁ ମଧ୍ୟମ ଧରଣର କୁପୋଷଣର ଶିକାର (moderately acute malnourished- MAM)  ହୋଇଛନ୍ତି ।

ଗୋଟିଏ ବର୍ଷରେ ୯୧ ପ୍ରତିଶତ ବୃଦ୍ଧି

ଦେଶର ୩୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୋଷଣ ଟ୍ରାକର ଆପରୁ ନିଆଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ମାତ୍ର ଗୋଟିଏ ବର୍ଷରେ କୁପୋଷଣ ଶିକାର ଶିଶୁଙ୍କ ସଂଖ୍ୟାରେ ୯୧ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ତଥ୍ୟକୁ ଯଦି ତୁଳନା କରାଯାଏ ତେବେ ୨୦୨୦ ନଭେମ୍ବରରୁ ୧୪ ଅକ୍ଟୋବର ୨୦୨୧ ମଧ୍ୟରେ ଗମ୍ଭୀର କୁପୋଷିତ ଶିଶୁଙ୍କ ସଂଖ୍ୟାରେ ୯୧ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସଂଖ୍ୟା ୯.୨୭ ଲକ୍ଷରୁ ୧୭.୭୬ ଲକ୍ଷକୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଗୁଜୁରାଟ ଓ ବିହାର ସ୍ଥିତି ଖରାପ

ପୋଷଣ ଟ୍ରାକରରୁ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ କୁପୋଷଣ ଶିକାର ଶିଶୁଙ୍କ ସଂଖ୍ୟା ସର୍ବାଧିକ । ମହାରାଷ୍ଟ୍ରରେ ୬.୧୬ ଲକ୍ଷ ଶିଶୁ କୁପୋଷଣର ଶିକାର (୧.୫୭ ଲକ୍ଷ ନାମ୍ ଓ ୪.୫୮ ସାମ୍) । ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି ବିହାର । ବିହାରରେ ୪.୭୫ ଲକ୍ଷ ଶିଶୁ କୁପୋଷଣର ଶିକାର । ଅନ୍ୟପକ୍ଷରେ ବିଜେପିର ବିକାଶ ମଡେଲ ଭାବେ ପରିଚିତ ଗୁଜରାଟରେ କୁପୋଷିତ ଶିଶୁଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୨୦ ହଜାର ।

Leave a Reply