କଳାହାଣ୍ଡି: ମମିତା ମେହେର ହତ୍ୟା ଘଟଣାରେ ବିରୋଧୀ ଦଳର ମାଇଲେଜ୍ ପଲିଟିକ୍ସ । ପ୍ରତିଦିନ ପୀଡ଼ିତା ପିରବାରରେ ପଞ୍ଝାପଞ୍ଝା ନେତାଙ୍କ ଭିଡ଼ । ରାଜନୈତିକ ଗୋଟି ଚାଳନା ଭିତରେ ବିରୋଧୀ ଭୁଲିଯାଉଛନ୍ତି ଯେ, ମମିତାଙ୍କ ମାଆଙ୍କର ହାର୍ଟ ସମସ୍ୟା ରହିଛି । ବାରମ୍ବାର ଘରେ ଭିଡ଼ ଜମାଉଥିବାରୁ ସେ ଚେତାଶୂନ୍ୟ ହୋଇପଡୁଛନ୍ତି । ଆଜି ମଧ୍ୟ ବିରୋଧୀ କଂଗ୍ରେସ ଦଳର ନେତାମାନେ ମମିତାଙ୍କ ଘରକୁ ଯାଇଥିଲେ । ସମସ୍ତ ଘଟଣା ବିଷୟରେ ପରିବାର ଲୋକଙ୍କୁ ପଚାରି ବୁଝିଥିଲେ । ଗୋଟେପଟେ ନିଜେ ମମିତାଙ୍କ ପରିବାର ପୋଲିସ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିବାବେଳେ ବିରୋଧି କିନ୍ତୁ ତଦନ୍ତକୁ ନେଇ ପ୍ରଶ୍ନ ସୃଷ୍ଟି କରିଛନ୍ତି ।
ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିବାରୁ ତଦନ୍ତ ପ୍ରକ୍ରିୟା ଉପରେ ଭରସା କରିଛନ୍ତି ବାପା ସୁଚନ୍ଦ୍ର ମେହେର । ଏହି ହତ୍ୟାରେ ଗୋବିନ୍ଦଙ୍କ ସହ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସେ ଦାବି ଦୋହରାଇଛନ୍ତି । ତ୍ବରିତ ନ୍ୟାୟ ପାଇଁ ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ମଧ୍ୟ ସେ ଅପିଲ କରିଛନ୍ତି । ଏଥିସହିତ ତାଙ୍କ ଝିଅର ମୃତ୍ୟୁକୁ ନେଇ ଚାଲିଥିବା ରାଜନୈତିକ ଡ୍ରାମାକୁ ସେ ନାପସନ୍ଦ କରିଛନ୍ତି ।
ପୀଡ଼ିତଙ୍କ ପରିବାର ସଦସ୍ୟ ଗୋଟେପଟେ ଝିଅର ମୃତ୍ୟୁକୁ ନେଇ ମାନସିକ ସ୍ତରରେ ଠିକ ନଥିବାବେଳେ ଘନଘନ ରାଜନୈତି ଦଳର ଗସ୍ତକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ମମିତାଙ୍କ ବାପା ସୁଚନ୍ଦ୍ର ମେହେର । ତାଙ୍କ ପତ୍ନୀ ଅସୁସ୍ଥ ଏବଂ ନିୟମିତ ଦଳୀୟ ନେତାଙ୍କ ଭିଡ଼ରେ ସେ ଅଧିକ ଅସୁସ୍ଥ ହୋଇପଡୁଛନ୍ତି । ଝିଅର ମୃତ୍ୟୁରେ ଭାଙ୍ଗିପଡ଼ିଥିବା ପରିବାରକୁ ଶାନ୍ତିରେ ରହିବାକୁ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ମମିତାଙ୍କ ବାପା ।

