ତାଳଚେରରେ ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

CS Writes To Function Talcher Medical College As Soon As Possible

ଭୁବନେଶ୍ୱର: ତାଳଚେର ଠାରେ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଏବଂ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚିଠି । କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଏମ୍ ନାଗାରାଜୁ ଏବଂ ମହାନଦୀ କୋଲ୍ଡଫିଲ୍ଡର ବରିଷ୍ଠ ଅଧିକାରୀମାନଙ୍କୁ ଏନେଇ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ସଚିବାଳୟରେ କୋଇଲା ଉତ୍ତୋଳନ ଓ ପରିବହନ ସମ୍ବନ୍ଧିତ ସ୍ଥିତି ନେଇ ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ଏହି ଅନୁରୋଧ କରିଛନ୍ତି ।

କେନ୍ଦ୍ରୀୟ ଅତିରିକ୍ତ ଶାସନ ସଚିବ ଜଣାଇଥିଲେ, ଇତିମଧ୍ୟରେ ତାଳଚେର ଠାରେ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ଏହି ଭେଷଜ ମହାବିଦ୍ୟାଳୟ ନିର୍ମାଣ, ଆନୁଷଙ୍ଗିକ ଆସବାବପତ୍ର, ଯନ୍ତ୍ରପାତି ଏବଂ ଚିକିତ୍ସା ଉପକରଣ ଆଦି ପାଇଁ ଏମସିଏଲ୍ ତରଫରୁ ୫୦୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି ।

ଭେଷଜ ମହାବିଦ୍ୟାଳୟ ଦୈନନ୍ଦିନ ପରିଚାଳନା ଏ କ୍ଷେତ୍ରରେ ଅଭିଜ୍ଞତା ଥିବା ବୃତ୍ତିଗତ ସଂସ୍ଥାଙ୍କ ଦ୍ୱାରା କରାଯିବ ବୋଲି ଶ୍ରୀ ନାଗାରାଜୁ କହିଥିଲେ । ଏହି ସଂସ୍ଥା ଚୟନ ପାଇଁ ବିଭିନ୍ନ ସଂସ୍ଥାମାନଙ୍କ ଠାରୁ ଆଗ୍ରହ ପତ୍ର ଆହ୍ୱାନ କରାଯାଇଛି । ଖୁବଶୀଘ୍ର ଏ ବିଷୟରେ ନିଷ୍ପତ୍ତି ହେବ । ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଏବଂ ଆଖପାଖ ଜିଲ୍ଲାର ଲୋକ ସୁବିଧାରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପାଇ ପାରିବେ ।

Leave a Reply