ଠିକ୍ ସମୟରେ ଦେଶ ଛାଡିବାକୁ ତାଲିବାନର ଆମେରିକାକୁ ଧମକ, କାବୁଲ ଛାଡ଼ିବା ମୁଡରେ ନାହାଁନ୍ତି ବ୍ରିଟେନ୍ ଓ ଅନ୍ୟ ମିତ୍ର ରାଷ୍ଟ୍ର

1 min read

ୱାସିଂଟନ: ପୂର୍ବନିର୍ଧାରିତ ତାରିଖ ଅନୁସାରେ ଆଫଗାନିସ୍ତାନ ଛାଡି ଚାଲିଯିବାକୁ ତାଲିବାନ ଆମେରିକାକୁ ଧମକ ଦେଇଛି । ଆମେରିକା ସେନା ଅଗଷ୍ଟ ୧୧ ତାରିଖ ସୁଧା ଆଫଗାନିସ୍ତାନ ଛାଡିବ ବୋଲି ଘୋଷଣା କରିଥିଲା । ଆମେରିକାର ପ୍ରାୟ ସୈନିକ ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଅଚାନକ ତାଲିବାନର ଦେଶ ଦଖଲ ପରେ ଆମେରିକା ତାର ୫ ହଜାର ସୈନିକଙ୍କୁ କାବୁଲ ବିମାନ ବନ୍ଦରର ସୁରକ୍ଷା ପାଇଁ ପୁଣି ପଠାଇଥିଲା । କାବୁଲ ବିମାନ ବନ୍ଦର ଏବେ ମଧ୍ୟ ଆମେରିକା କବଜାରେ ଅଛି । ତେବେ ତାଲିବାନ ଚାହୁଁଛି ଯେ, ଆମେରିକା ଅଗଷ୍ଟ ୩୧ ସୁଧା ଏୟାରପୋର୍ଟରୁ ତା’ର ସୈନିକଙ୍କୁ ହଟାଉ । ନିର୍ଧାରିତ ସମୟ ମଧ୍ୟରେ ସେନା ନହଟାଇଲେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ତାଲିବାନ ଆମେରିକାକୁ ଚେତାବନୀ ଦେଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ତାଲିବାନର ଏହି ଧମକ ସହିତ ବ୍ରିଟେନ୍ ଅନ୍ୟ ମିତ୍ରରାଷ୍ଟ୍ରଙ୍କ ମନୋଭାବ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କୁହାଯାଉଛି ଯେ, ଜି-୭ ରାଷ୍ଟ୍ରର ପ୍ରାୟ ସବୁ ଦେଶ ଏବେ କାବୁଲକୁ ତାଲିବାନ ହାତରେ ଟେକି ଦେବା ସପକ୍ଷରେ ନାହାନ୍ତି । ବ୍ରିଟେନ୍ ଚାହୁଁଛି ଯେ, କାବୁଲରେ ଆଉ କିଛି ଦିନ ପାଇଁ ମିତ୍ରରାଷ୍ଟ୍ରର ସୈନିକ ଉପସ୍ଥିତି ରହୁ ।

ଆମେରିକା ପାଇଁ ଚିନ୍ତାର କାରଣ ହେଉଛି ଯେ, ଯଦି ଏହା ମିତ୍ର ଦେଶଙ୍କ ଅନୁରୋଧକୁ ମାନି ନିଏ ତେବେ କାବୁଲ ଏୟାରପୋର୍ଟରେ ତାକୁ ତାଲିବାନ ସହିତ ଲଢିବାକୁ ପଡିବ । ଯାହାକୁ ନେଇ ବାଇଡେନ ଅସମଞ୍ଜସ ସ୍ଥିତିରେ ଅଛନ୍ତି ।
କାବୁଲ ଛାଡିବାକୁ ବ୍ରିଟେନ୍ ରାଜି ନୁହେଁ

ବ୍ରିଟେନ୍ ବର୍ତ୍ତମାନ ପରିସ୍ଥିତିରେ କାବୁଲ ଛାଡିବାକୁ ପ୍ରସ୍ତୁତ ନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କହିଛନ୍ତି ଯେ, ଆମକୁ ଲମ୍ବା ସମୟ ପାଇଁ କାବୁଲରେ ରହିବାକୁ ପଡିବ । ଏନେଇ ସେ ଆମେରିକାକୁ ଅପିଲ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋରିସଙ୍କ ଆଗ୍ରହରେ ମଙ୍ଗଳବାର ଦିନ ଜି-୭ ଦେଶର ବୈଠକ ବସୁଛି । ଏହି ବୈଠକରେ ଆମେରିକାକୁ କାବୁଲ ନଛାଡିବାକୁ ପ୍ରସ୍ତାବ ଦିଆଯିବ । ଏହି ପ୍ରସ୍ତାବକୁ ବୋରିସ ରଖିବେ ।

ବାଇଡେନଙ୍କ କହିବା କ’ଣ ?
ବାଇଡେନ ପ୍ରଥମେ ସେପ୍ଟେମ୍ବର ୧୧ ସୁଧା ଆମେରିକା ସୈନିକ ଆଫଗାନିସ୍ତାନ ଛାଡିବେ ବୋଲି କହିଥିଲେ । କିନ୍ତୁ ପରେ ଏହି ଡେଡ୍ ଲାଇନକୁ ଅଗଷ୍ଟ ୩୧ କରିଥିଲେ । ଏବେ ଚାରିପଟୁ ପଡୁଥିବା ଚାପ ଭିତରେ ସେ କହିଛନ୍ତି ଯେ, ଆବଶ୍ୟକତା ପଡିଲେ ଡେଡଲାଇନକୁ ଘୁଞ୍ଚାଯିବ ।
ତେବେ ମିତ୍ର ଦେଶ ଓ ତାଲିବାନ ଧମକ ଭିତରେ ବାଇଡେନ୍ ଫସିଯାଇଛନ୍ତି ଏଥିରେ ସନ୍ଦେହ ନାହିଁ ।

Leave a Reply