ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ମହାମାରୀ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ: ୭ବର୍ଷ ଯାଏଁ ଜେଲ୍, ୫ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: କୋଭିଡ ସଂକଟବେଳେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାରେ କ୍ଷୁବ୍ଧ କେନ୍ଦ୍ର । ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ରୋଗ(ସଂଶୋଧନ) ଆଇନ ୨୦୨୦ ଲାଗୁ କରିବା ଲାଗି ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ହେଉଥିବା ଆକ୍ରମଣ ଘଟଣା କ୍ରମେ କଠୋର ପଦକ୍ଷେପ ନେବାକୁ ପତ୍ର ଦେଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ହେବା ଯୋଗୁଁ ସେମାନେ ମାନସିକ ଆଘାତ ପାଉଛନ୍ତି ଯାହାକି ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଭାଲ୍ଲା ଉଲ୍ଲେଖ କରିଛନ୍ତି । କୋଭିଡ ସଂକଟ ବେଳେ ଡାକ୍ତରଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଭାଲ୍ଲା ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ବିଧିବଦ୍ଧ ଏଫଆଇଆର ରୁଜୁ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଆଇନ ଅନୁସାରେ ଆକ୍ରମଣକାରୀଙ୍କୁ ୫ ବର୍ଷ ଯାଏଁ ଜେଲଦଣ୍ଡ ସହ ୨ ଲକ୍ଷ ଟଙ୍କା ଯାଏଁ ଜରିମାନାର ବ୍ୟବସ୍ଥା ରହିଛି । ଏହା ସହ ଯଦି ଆକ୍ରମଣରେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଅଧିକ ଗୁରୁତର ହୁଅନ୍ତି ତେବେ ୭ବର୍ଷ ଯାଏଁ ଜେଲ ଓ ୫ ଲକ୍ଷ ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ରହିଛି । ଆଇନ ଅନୁସାରେ ଏହି ଅପରାଧଗୁଡିକ ଲାଗି ଜାମିନର ବ୍ୟବସ୍ଥା ନାହିଁ । ଏହି ଘଟଣାଗୁଡିକରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ବିଭିନ୍ନ ତ୍ରୁଟିପୂର୍ଣ୍ଣ ମତଗୁଡିକ ପ୍ରତି ମଧ୍ୟ ସାବଧାନ ରହିବା ଲାଗି ଭାଲ୍ଲା ପରାମର୍ଶ ଦେଇଛନ୍ତି । ଏଥିନିମନ୍ତେ ସଚେତନତାଧର୍ମୀ ପଦକ୍ଷେପ ନେବାକୁ ସେ କହିଛନ୍ତି । ପୂର୍ବରୁ ଏପ୍ରିଲ ୨୭ ଓ ଜୁନ ୯ରେ ବି ଭାଲ୍ଲା ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାସହ କୋଭିଡ ଚିକିତ୍ସାକେନ୍ଦ୍ରଗୁଡିକରେ ଉପଲବ୍ଧ ହେଉଥିବା ବିଭିନ୍ନ ସମ୍ବଳ ସମ୍ପର୍କରେ ତଥ୍ୟ ଦେବା ଲାଗି ଏଣ୍ଟ୍ରି ପଏଣ୍ଟରେ ସୂଚନା ଉଲ୍ଲେଖ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ପର୍ଶକାତର କେନ୍ଦ୍ରରେ କୌଣସି ବିଶୃଙ୍ଖଳାକୁ ରୋକିବା ଲାଗି ତ୍ୱରିତ ପୋଲିସ ବାହିନୀ ମୁତୟନ କରିବା ଲାଗି ପତ୍ରରେ ଉଲ୍ଲେଖ ରହିଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

Leave a Reply