ଝାରସୁଗୁଡା: ମାନବିକତା ଭୁଲିଗଲେ ତହସିଲଦାର । କଥାରେ ଅଛି ଯେମିତି କୁଜି ଅସରପା ଉପରେ କାଣି ବିରାଢି ଷଣ୍ଢ । ଠିକ ସେହିପରି ବୃଦ୍ଧାଙ୍କ ଉପରେ ଦବଙ୍ଗଗିରି ଦେଖାଇଲେ ଉକ୍ତ ତହସିଲଦାର । ବୃଦ୍ଧ ତରଭୁଜ ବିକାଳିଙ୍କୁ ମାରିଲେ ମାଡ । ଅନେକ ସ୍ଥାନରେ କୋଭିଡ ନିୟମ ଆଳରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏଭଳି ଆଉ ଏକ ଚିତ୍ର ଆସିଛି ଝାରସୁଗୁଡା ସହରରୁ ଆସିଛି।
ସୂଚନା ମୁତାବକ ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହେଉଛି । ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି । ଅଭିଯୋଗ ମୁତାବକ ସେ ଆଜି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରୁଥିଲେ ।
ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ପାଖରେ ଥିବା ତାଙ୍କ ନାବାଳକ ପୁଅକୁ ମଧ୍ୟ ଅତିରିକ୍ତ ତହସିଲଦାର ମାଡ ମାରିଥିବା କହିଛନ୍ତି ଦୋକାନୀ ଜଣକ । ସେପଟେ ତହସିଲଦାର ମାଡ ମାରୁଥିବା ସମୟର ଦୃଶ୍ୟ ଏବେ ସୋସିଆଲ ମଡିଆରେ ଭାିରାଲ ହେବାରେ ଲାଗିଛି ।

