spot_img

Latest Posts

୧୧ ଦିନର ସଂଘର୍ଷ ପରେ ଇସ୍ରାଏଲ୍-ହମାସ୍ ଅସ୍ତ୍ରବିରତି ପାଇଁ ରାଜି

ଗାଜା: ଦୀର୍ଘ ୧୧ ଦିନର ଯୁଦ୍ଧ ପରେ ଏବେ ଶାନ୍ତି ନିଦ୍ରାରେ ଶୋଇବେ ଇସ୍ରାଲଏବାସୀ । କାରଣ ଟଳିଛି ଯୁଦ୍ଧ ଆଉ ଶାନ୍ତ ପଡ଼ିଛି ବୋମା ବର୍ଷଣକାରୀ ମେସିନ୍‌। ବୋମା ଆକ୍ରମଣରେ ଶୋଇଯାଇଛି ବଡ଼ ବଡ଼ କୋଠା, ମୃତ୍ୟୁ ମୁହଁକୁ ଠେଲି ହୋଇଯାଇଛନ୍ତି ଅନେକ ନିରୀହ । ଅନେକ କିଛି ହରାଇଲା ପରେ ସ୍ଥିର ପଡ଼ିଛି ସ୍ଥିତି। ଇସ୍ରାଏଲ ଏବଂ ହାମାସ ଗୁରୁବାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ୧୧ ଦିନ ଧରି ଚାଲିଥିବା ଏହି ଯୁଦ୍ଧ ଗାଜା ପଟ୍ଟିରେ ଆତଙ୍କ ସୃଷ୍ଟି କରିଥିଲା । ଆକାଶରେ ଚାଲିଥିଲା ଅହରହ ବୋମା ବର୍ଷଣ । ଜୀବନ ବଞ୍ଚିବା ଅସମ୍ଭବ ମାତ୍ର ଲାଗୁଥିବା ବେଳେ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସୁରକ୍ଷା ମନ୍ତ୍ରୀମଣ୍ଡଳ ଗାଜା ଅଞ୍ଚଳରେ ୧୧ ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏକପାଖିଆ ଅସ୍ତ୍ରବିରତି ମଞ୍ଜୁର କରିଛନ୍ତି । ତେବେ ଯୁଦ୍ଧକୁ ରୋକିବାରେ ବଡ଼ ଭୂମିକା ଗ୍ରହଣ କରିଛି ଆମେରିକା । ଆମେରିକାର ହସ୍ତକ୍ଷେପ ପରେ ଯୁଦ୍ଧ ବନ୍ଦ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ନିୟନ୍ତ୍ରଣ ହେଉନଥିବାରୁ ଚାପ ପକାଇଥିଲା ଆମେରିକା ।

ଅସ୍ତ୍ରବିରତି ଘୋଷଣା ଉପରେ ନେତନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ, ଇସ୍ରାଏଲର ସାମରିକ ମୁଖ୍ୟ ତଥା ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୁପାରିସ୍ ପରେ ତାଙ୍କ ସୁରକ୍ଷା କ୍ୟାବିନେଟ ମିଶ୍ରର ଅସ୍ତ୍ରବିରତି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି। ବିବୃତିରେ କୁହାଯାଇଛି, ଅପରେସନରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ତେବେ ରାଜନୈତିକ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି ହମାସ ଉପରେ ହୋଇଥିବା ଆକ୍ରମଣ ଭବିଷ୍ୟତ ସ୍ଥିର କରିବ। ଏଭଳି ବିବୃତି ଦେଇ ଇସ୍ରାଏଲ ପୁଣି ହମାସକୁ ଟାର୍ଗେଟ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ବିବୃତି ହମାସ ପାଇଁ ଏକ ଧମକ ବୋଲି ଜଣାପଡ଼ଛି।

ଇସ୍ରାଏଲ ହମାସ ଯୁଦ୍ଧ ନେଇଛି ଅନେକଙ୍କ ଜୀବନ । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୬୫ ଜଣ ଶିଶୁ ଏବଂ ୩୯ ଜଣ ମହିଳାଙ୍କ ସମେତ ଅତି କମରେ ୨୩୦ ପାଲେଷ୍ଟାଇନ୍‌ବାସୀଙ୍କର ମୃତ୍ୟୁ ଘଟିଛି। ଏଥିସହ ୧ହଜାର ୭୧୦ ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ଇସ୍ରାଏଲରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।

ସେପଟେ ଯୁଦ୍ଧ ବନ୍ଦ ପାଇଁ ମୁଖ୍ୟ ଭୂମିକା ପାଲଟିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ଗାଜା ଅସ୍ତ୍ରବିରତି ନେଇ ମତ ରଖିଛନ୍ତି । ଅସ୍ତ୍ରବିରତି ପାଇଁ ବାଇଡେନ ଇସ୍ରାଏଲକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀରୁ ନିଜକୁ ରକ୍ଷା କରିବା ପାଇଁ ଆମେରିକା ଇସ୍ରାଏଲକୁ ସମର୍ଥନ କରିଛି।

Latest Posts

Don't Miss