ଆଜିଠୁ କ୍ଲାସରୁମରେ ପଢ଼ିବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ, ଖୋଲିଲା ୟୁଜି ଓ ପିଜି କ୍ଲାସ୍

1 min read

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ନବମ ଶ୍ରେଣୀର କ୍ଲାସରୁମ୍ ପାଠପଢା । ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଶ୍ରେଣୀଗୃହରେ ପଢିବେ ପାଠ । ଏଥିପାଇଁ ସବୁ ସ୍କୁଲରେ ବ୍ୟବସ୍ଥା ସରିଛି । ସିଟିଂ ଆରେଞ୍ଜମେଣ୍ଟ ସହ କ୍ଲାସରୁମ୍‌ ସାନିଟାଇଜେସନ୍ ଓ ପିଲାଙ୍କ ପାଇଁ କରୋନା କଟକଣା ମାନିବା ବାଧ୍ୟତାମୂଳକ କରାଯିବ । ଅଭିଭାବକଙ୍କ ଅନୁମତି ପତ୍ର ନେଇ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସିବେ । ଦୀର୍ଘଦିନ ପରେ ସାଙ୍ଗ ସାଥିଙ୍କ ସହ କ୍ଳାସରୁମରେ ବସି ପାଠପଢିବାର ସୁଯୋଗ ପାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପଢା ଆରମ୍ଭ ହୋଇଯାଇଛି ।

ସେହିପରି ଆଜିଠାରୁ ଖୋଲିବ ୟୁଜି ଓ ପିଜି କ୍ଲାସ୍ । ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜିଠାରୁ ଶ୍ରେଣୀଗୃହ ଶିକ୍ଷାଦାନ କରାଯିବ । ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । PG ଓ UG ଶେଷ ବର୍ଷର ଛାତ୍ରମାନଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ । ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ । କରୋନା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ମଧ୍ୟ ହୋଇ ନାହିଁ । ଏଭଳି ସ୍ଥଳେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କଲେଜ ଖୋଲିବା ପୂର୍ବରୁ ସାନିଟାଇଜ କରାଯାଇଛି। ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି ।

Leave a Reply