ପୁଣି ଭିଜିବ ଓଡ଼ିଶା: ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୂବନେଶ୍ୱର: କମିବ ପାରା, ପୁଣି ଭିଜିବ ସାରା ରାଜ୍ୟ । କୋହଲା ପାଗ ଯୋଗୁଁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏବଂ ଅପର ଏୟାର ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହୋଇପାରେ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କୁହୁଡ଼ି ଦେଖାଦେବ । ୯ ଓ ୧୦ ତାରିଖରେ କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ବର୍ଷିବ । ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ।

ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପରେ ପୁଣି ଚାଲିବ ଶୀତର ରାଜ୍‌ । ପ୍ରବଳ ଜାଡ଼ରେ ଥରିବ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳ ଜିଲ୍ଲା ଗୁଡିକରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିଯିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୧ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି ।

Leave a Reply