୮ ବର୍ଷର କୁନି ଝିଅ ୟୁକ୍ରେନକୁ ଦାନ କଲା ସବୁ ସମ୍ପତ୍ତି

1 min read

ନୂଆଦିଲ୍ଲୀ: ଋଷ ଆକ୍ରମଣରେ ଧ୍ବଂସ ୟୁକ୍ରେନ୍ । ବର୍ଷୁଛି ବୋମା, ଜଳୁଛି ୟୁକ୍ରେନ । ସହର ପରେ ସହର ଉପରେ ଋଷର ଆକ୍ରମଣ । ନଷ୍ଟ ହେଉଛି ସମ୍ପତ୍ତି ଓ ଯାଉଛି ଶହ ଶହ ଜୀବନ । ଯୁଦ୍ଧ ବନ୍ଦ କରିବାକୁ ସାରା ବିଶ୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କୁ କରାଯାଉଛି ଅନୁରୋଧ । ୟୁରୋପୀୟ ଦେଶ ବଢାଇ ଚାଲିଛି ଆର୍ଥିକ ପ୍ରତିବନ୍ଧକ । ହେଲେ ଏହାର କିଛି ପ୍ରଭାବ ପୁଟିନଙ୍କ ଉପରେ ପଡୁନି । ଦିନ ବଢିବା ସହ ଋଷର ଆକ୍ରମଣ ମଧ୍ୟ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି ।

ଏହାରି ଭିତରେ ୟୁକ୍ରେନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି ବିଶ୍ବର ବହୁ ଦେଶ ଓ ସାଧାରଣ ଲୋକେ । ଏବେ ଜଣେ ୮ ବର୍ଷର ଝିଅ ୟୁକ୍ରେନକୁ ସହଯୋଗର ହାତ ବଢାଇଛନ୍ତି । ନିଜ ସମସ୍ତ ସମ୍ପତ୍ତି ସେ ଯୁଦ୍ଧରେ ବରବାଦ ହୋଇଥିବା ୟୁକ୍ରେନକୁ ଦାନ କରିଛନ୍ତି । କୁନି ଝିଅର ଏହି ସହାୟତାକୁ ନେଇ ସାରା ଦୁନିଆରେ ପ୍ରଶଂସା କରାଯାଉଛି ।

ସୋସିଆଲ ମିଡିଆରେ ୟୁକ୍ରେନକୁ ସହାୟତା ନେଇ ସେ ଏକ ଚିଠି ଲେଖିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଲେଖିଛନ୍ତି…

‘ଡିୟର ୟୁକ୍ରେନ…

ମୋ ନାଁ ଆରିସ୍…

ଯୁଦ୍ଧକୁ ନେଇ ମୁଁ ବହୁତ ଦୁଃଖି ଅଛି…

ମୁଁ ଋଷର ନୁହେଁ…

ମୁଁ ଆୟରଲ୍ୟାଣ୍ଡରୁ…

ଆଶା କରୁଛି ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଭଲରେ ଥିବେ…

ମୋ ତରଫରୁ ମୋର ସମସ୍ତ ଟଙ୍କା ଆପଣଙ୍କୁ ଦେବାକୁ ଚାହୁଁଛି…

ଲଭ୍ ଆରିସ୍…

ଗେଟ୍ ବେଟର୍ ସୁନ୍…

ସୂଚନାଯୋଗ୍ୟ, କେବଳ ଆରିସ୍ ନୁହେଁ ବହୁ ଲୋକ ୟୁକ୍ରେନବାସୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଗୁରୁବାର ୟୁକ୍ରେନ ବଂଶଦ୍ଭୋବ ଆମେରିକାର ଅଭିନେତ୍ରୀ ମିଲା କୁନିସ ପତି ଏଷ୍ଟନ କଚରଙ୍କ ସହ ମିଶି ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ୨୦ ମିଲିୟନ ଡରାଲ ଚାନ୍ଦା ଆଦାୟ କରିଛନ୍ତି । ସେ GoFundMe ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ସେହିପରି ହଲିଉଡ ଆକ୍ଟର ଲିଓନାର୍ଡୋ ଡିକାପ୍ରିଓ ମଧ୍ୟ ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଛନ୍ତି । ଡିକାପ୍ରିଓ ଭାରତୀୟ ମୁଦ୍ରାରେ ୭୦ କୋଟି ଟଙ୍କା ୟୁକ୍ରେନକୁ ଦାନ କରିଛନ୍ତି । ଏହାସହ ଦୁନିଆର ଏକାଧିକ ସଂଗଠନ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ।