ଲକ୍ଷ୍ନୌରେ କୋଠା ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

1 min read

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି । ଭଙ୍ଗାକୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା ରହିଛି। ଉଦ୍ଧାର ଦଳ କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୨୮ଜଣ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ଶନିବାର ସଂନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହିଦପାଥ ନିକଟରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଏଭଳି ଅଘଟଣ ଘଟିଥିଲା । ଭୀଷଣ ବର୍ଷା ଯୋଗୁ ପୁରୁଣା ବିଲ୍ଡିଂଟି ଭୁଶୁଡି ପଡିଥିବା ସନ୍ଦେହ କରାଯାଉଛି। ଏହି ପୁରୁଣା ୩ମହଲା କୋଠାରେ ଔଷଧ ଗୋଦାମ ଚାଲୁଥିଲା । ଘଟଣା ସମୟରେ ବିଲ୍ଡିଂରେ ଅନେକ ଲୋକ କାମ କରୁଥିଲେ।

କୋଠା ଭୁଶୁଡ଼ିବା ପୂର୍ବରୁ ଭିତରେ କାମ କରୁଥିବା ଲୋକମାନେ ପ୍ରାୟ ୧୫ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିଲେ । ଲୋକମାନେ କିଛି ଭାବିବା ଏବଂ ବାହାରକୁ ଯିବାକୁ ଚେଷ୍ଟା କରିବା ପୂର୍ବରୁ, ଛାତରୁ କିଛି ଅଦ୍ଭୁତ ଶବ୍ଦ ଆସିବାକୁ ଲାଗିଲା | ଏହା ପରେ, କିଛି ସମୟ ମଧ୍ୟରେ ସମଗ୍ର କୋଠା ଭୁଶୁଡି ପଡିଥିଲା  ।ବିଲଡିଂ ବାହାରେ ଉପସ୍ଥିତ ଲୋକମାନେ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ପୋଲିସ, ଅଗ୍ନିଶମ ବାହିନୀ, SDRF ଏବଂ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପୋଲିସର ସୂଚନାନୁସାରେ, ମୃତକମାନେ ହେଉଛନ୍ତି ମନଜିତ ସିଂ ସାହନି, ଧୀରଜ, ପଙ୍କଜ, ଅରୁଣ, ରାମ କିଶୋର, ରାଜେଶ କୁମାର, ରୁଦ୍ର ଯାଦବ ଏବଂ ଜାଗ୍ରୁପ ସିଂ ବୋଲି ଜଣାପଡିଛି ।