୭୦ ଫୁଟ ଉଚ୍ଚା ଆକାଶରେ ବାହାଘର

1 min read

ଭିଲାଇ: ଜୀବନରେ ଥରେ ବିବାହ ହୋଇଥାଏ । ଆଉ ଏହି ବାହାଘରକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଥାଏ । ସେମିତିରେ ତ ପ୍ରାୟ ସବୁ ବିବାହର ପ୍ରଥା ଗୋଟିଏ ପ୍ରକାର ରହିଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ବିବାହରେ କିଛି ନୂଆ କରିବାକୁ ଚାହିଁଥାନ୍ତି । ଏଇ ଯେମିତି, ୭୦ ଫୁଟ ଉପରେ ଆକାଶରେ ବିବାହ କରିବା । ଆଜ୍ଞା ହଁ, ଦେଶରେ ଏବେ ଏହି ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଏୟାର ବେଲୁନରେ ୭୦ ଫୁଟ ଉପରେ ବରକନ୍ୟା ପରସ୍ପରକୁ ବରମାଳା ପିନ୍ଧାଇ ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରିଛନ୍ତି ।

ଘଟଣାଟି ଛତିଶଗଡ଼ର ଇସ୍ପାତ ସହର ଭେଲାଇର । ଏଠାରେ କନ୍ୟାପିତା ଅବଧେଶ ପାଣ୍ଡେ ଝିଅ ପ୍ରୀତିଙ୍କ ବିବାହକୁ ଭିନ୍ନ ପ୍ରକାର କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ରାଜସ୍ଥାନରୁ ଏୟାର ବେଲୁନ ମଗାଇଥିଲେ ।

ଏ ବେଲୁନ ଏତେ ବଡ଼ ଥିଲା ଯେ, ଏଥିପାଇଁ ଏକ ବଡ଼ ପଡ଼ିଆର ଆବଶ୍ୟକତା ଥିଲା । ଏଥିପାଇଁ ସେକ୍ଟର-୭ ଦଶହରା ପଡ଼ିଆରେ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ମଧ୍ୟରାତ୍ରୀରେ ବେଲୁନଟି ବରକନ୍ୟାକୁ ନେଇ ଆକାଶକୁ ଉଠିଥିଲା । ପ୍ରାୟ ୭୦ ଫୁଟ ଉପରକୁ ଯିବା ପରେ ବରକନ୍ୟା ପରସ୍ପରକୁ ବରମାଳା ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏୟାର ବେଲୁନ ଯେତିବେଳେ ବରକନ୍ୟାଙ୍କୁ ଧରି ଉଡିବା ଆରମ୍ଭ କରିଥିଲା ଲୋକେ ଏହାକୁ ଦେଖିବାକୁ ନିଜ ନିଜ ଛାତ ଉପରକୁ ଚାଲି ଆସିଥିଲେ । ଆଖପାଖର ପ୍ରାୟ ସବୁ ଛାତ ଭରି ଯାଇଥିବା ଦେଖିବାକୁ ମିଳିଥିଲା ।

ବିବାହକୁ ନେଇ ଅବଧେଶ କହିଛନ୍ତି, ଝିଅକୁ ଆମେ ପରି ଭାବିଥାଉ । ଏଥିପାଇଁ ପରିର ବାହାଘର ମାଟି ଓ ଆକାଶ ମଝିରେ କରିବାକୁ ଚାହିଁଥିଲି ।