ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ୫୭ ଆସନ ପାଇଁ ହେଉଛି ଭୋଟ ଗ୍ରହଣ

1 min read

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ହଟ୍ ସିଟ୍ ଗୋରଖପୁର ଆସନ ସମେତ ୫୭ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମନ୍ତ୍ରୀ, ବାହୁବଳୀ ନେତା ଏବଂ ସମାଜବାଦୀ ପାର୍ଟିର ବହୁ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ରାଜନୈତିକ ଦୃଷ୍ଟିକୋଣରୁ ଗୋରଖପୁର ସିଟ୍ ଅତ୍ୟଧିକ ଗୁରତ୍ବପୂର୍ଣ୍ଣ ହୋଇଥିବାବେଳେ, ଏହି ସିଟରୁ ପ୍ରଥମ କରି ନିର୍ବାଚନ ଲଢ଼ୁଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କୁ ଟକ୍କର ଦେଉଛନ୍ତି ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ଶୁଭାବତୀ ଶୁକ୍ଳା । ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ମଇଦାନରେ ଅଛନ୍ତି । ସମାଜବାଦୀ ପାର୍ଟି ନେତା ରାମଗୋବିନ୍ଦ ଚୌଧୁରୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ, ବିଏସପି ବିଧାନମଣ୍ଡଳ ନେତା ଅଧ୍ୟକ୍ଷ ଉମାଶଙ୍କର ସିଂହ ପ୍ରମୁଖ ନେତା ଆଜି ଅଗ୍ନିପରୀକ୍ଷା ଦେଇଛନ୍ତି ।

ଅନ୍ୟପକ୍ଷରେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏଥର ଦଳ ବଦଳ କରି ସମାଜବାଦୀ ଟିକେଟରେ ଫାଜିଲନଗରରୁ ନିର୍ବାଚନ ଲଢୁଛନ୍ତି । ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି । ପଥରଦେବା ସିଟରେ କୃଷି ମନ୍ତ୍ରୀ ସୂର୍ଯ୍ୟପ୍ରତାପ ସାହୁ, ସିଦ୍ଧାର୍ଥନଗରର ବାଂଶୀ ସିଟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ, ବାଲିଆର ଫେଫନା ସିଟରୁ ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ, ଇଟଓ୍ୱାରୁ ମନ୍ତ୍ରୀ ସତୀଶ ଚନ୍ଦ୍ର ଦ୍ୱିବେଦୀ, ବେରିୟର ଆସନରୁ ଆନନ୍ଦ ସ୍ବରୂପ ଶୁକ୍ଳା, ଚୋରିଚୋରା ଆସନରୁ ମନ୍ତ୍ରୀ ଜୟପ୍ରକାଶ ନିଷାଦ ମଧ୍ୟ ନିର୍ବାଚନୀ ମଇଦାନରେ ଅଛନ୍ତି ।

Leave a Reply