ଭାରତ-ଚୀନ୍ ବିବାଦ: ସୁରକ୍ଷା ପ୍ରସଙ୍ଗରେ ୬୧ % ଭାରତୀୟ ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ !

1 min read

ନୂଆଦିଲ୍ଲୀ: ଲଦାଖର LACରେ ୨୦ ଜଣ ଯବାନଙ୍କ ସହିଦ ପରେ ଭାରତ-ଚୀନ୍‌ ମଧ୍ୟରେ ବିବାଦ ଯୋର ଧରିଥିଲା । ୧୯୬୨ର ଯୁଦ୍ଧ ପରେ ଚୀନ ଏବଂ ଭାରତ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ବିବାଦ । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଉପରେ କ୍ରମାଗତ ଭାବେ ପ୍ରଶ୍ନ କରିଛନ୍ତି । ସେପଟେ IANS CVoter ସ୍ନାପ ଦ୍ୱାରା ହୋଇଥିବା ସର୍ବଶେଷ ସର୍ଭେ ଅନୁଯାୟୀ, କେବଳ ୩୯ ପ୍ରତିଶତ ଭାରତୀୟ ରାହୁଲ ଗାନ୍ଧୀଙ୍କୁ ବିଶ୍ୱାସ କରୁଥିବାବେଳେ ୬୧ ପ୍ରତିଶତ ଲୋକ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ । ଯେତେବେଳେ ଜାତୀୟ ସୁରକ୍ଷା କଥା ଆସିଛି ସେତେବେଳେ ଏମିତି ସ୍ଥିତି ଉପୁଜେ ବୋଲି ରିପୋର୍ଟରେ କହୁଛି ।

କେବଳ ୧୪.୪ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ରାହୁଲ ଗାନ୍ଧୀଙ୍କୁ ବହୁ ପରିମାଣରେ ବିଶ୍ୱାସ କରୁଥିବାବେଳେ ୨୪.୩ ପ୍ରତିଶତ ଲୋକ ତାଙ୍କୁ କିଛି ମାତ୍ରାରେ ବିଶ୍ୱାସ କରନ୍ତି । ଅନ୍ୟପକ୍ଷରେ, ୬୧.୩ ପ୍ରତିଶତ ଲୋକ କହିଛନ୍ତି ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସେମାନେ ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ୧୬% ପୁରୁଷ ଏବଂ ୧୨% ମହିଳା ରାହୁଲ ଗାନ୍ଧୀଙ୍କୁ ବହୁ ପରିମାଣରେ ବିଶ୍ୱାସ କରୁଥିବାବେଳେ ପ୍ରାୟ ୨୬% ପୁରୁଷ ଏବଂ ୨୨.୬% ମହିଳା ରାହୁଲ ଗାନ୍ଧୀଙ୍କୁ କିଛି ମାତ୍ରାରେ ବିଶ୍ୱାସ କରନ୍ତି ।

ରିପୋର୍ଟ କହୁଛି ମୁସଲମାନ ସମ୍ପ୍ରଦାୟରୁ ରାହୁଲ ଗାନ୍ଧୀଙ୍କୁ ସର୍ବାଧିକ ବିଶ୍ୱାସ କରୁଥିବା ମିଳିଛି । ଏହି ସମ୍ପ୍ରଦାୟର ୪୩.୯ ପ୍ରତିଶତ ଲୋକ ସେମାନଙ୍କୁ ବହୁ ପରିମାଣରେ ବିଶ୍ୱାସ କରୁଥିବାବେଳେ ୩୯.୩ ପ୍ରତିଶତ ଲୋକ ସେମାନଙ୍କୁ କିଛି ପରିମାଣରେ ବିଶ୍ୱସ କରନ୍ତି । କେବଳ ୧୬ ପ୍ରତିଶତ ସମ୍ପ୍ରଦାୟ ରାହୁଲ ଗାନ୍ଧୀଙ୍କୁ ବିଶ୍ୱାସ କରନ୍ତି ନାହିଁ । ସର୍ବେକ୍ଷଣ ଅନୁଯାୟୀ, ପ୍ରାୟ ୯୦ ପ୍ରତିଶତ ଖ୍ରୀଷ୍ଟିଆନ ଏବଂ ୭୧ ପ୍ରତିଶତ ଶିଖ ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ।

ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ୬୭.୨ ପ୍ରତିଶତ ଉଚ୍ଚଶିକ୍ଷିତ ଲୋକ ରାହୁଲ ଗାନ୍ଧୀଙ୍କୁ ବିଶ୍ୱାସ କରୁ ନ ଥିବାବେଳେ ଉଚ୍ଚ ଆୟ ବର୍ଗର ୭୨ ପ୍ରତିଶତ ଲୋକ କଂଗ୍ରେସ ନେତାଙ୍କୁ ବିଶ୍ୱାସ କରନ୍ତି ନାହିଁ । ଜାତି ବିଷୟରେ କହିବାକୁ ଗଲେ ପ୍ରାୟ ୬୯ ପ୍ରତିଶତ ଉଚ୍ଚ ଜାତିର ହିନ୍ଦୁ ଏବଂ ୭୧ ପ୍ରତିଶତ ଅନୁସୂଚିତ ଜନଜାତି ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିଶ୍ୱାସ କରନ୍ତି ନାହିଁ।

Leave a Reply