ପୁଣି ତାଇଓ୍ବାନ ଆକାଶରେ ଚୀନ ବେଲୁନ; ଦ୍ବୀପଦେଶ ଚାରିପଟେ ୪ଟି ଯୁଦ୍ଧ ବିମାନ ଓ ୪ଟି ଜାହାଜର କଡ଼ା ନଜର

ନୂଆଦିଲ୍ଲୀ : ପୁଣି ତାଇଓ୍ବାନ ଉପରେ ଚୀନର ନାଲିଆଖି । ଦ୍ବୀପଦେଶ ଉପରେ ଉଡିଲା ୬ଟି ଚୀନ ବେଲୁନ । ଏନେଇ ସୂଚନା ଦେଇଛି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ । ତାଇଓ୍ବାନରେ ନିର୍ବାଚନ ସରିବା ପରଠାରୁ ବିଭିନ୍ନ ଭାବେ ତାଇଓ୍ବାନକୁ ଡରାଇବାକୁ ଚେଷ୍ଟା ଜାରି ରଖିଛି ଚୀନ । ତାଇଓ୍ବାନର କିଲୁଙ୍ଗ ଉପକୂଳରେ ୫ଟି ବେଲୁନ ଉଡିଥିବାବେଳେ  ପିଙ୍ଗତୁଙ୍ଗ ଉପରେ ଉଡିଛି ଗୋଟିଏ ବେଲୁନ ।

ସେହିପରି ଦ୍ବୀପଦେଶ ଚାରିପଟେ ୪ଟି ଚୀନ ବିମାନ ଓ ୪ଟି ଜାହାଜ ପଇଁତରା ମାରିବା ଦେଖାଯାଇଛି । ପ୍ରାୟ ୧୭ ହଜାର ଫୁଟ ଉଚ୍ଚତାରେ ବେଲୁନଗୁଡିକ ଉଡିବା ଦେଖାଯାଇଛି । ଯୁଦ୍ଧଜାହାଜ ପଇଁତରା ମାରିବା ସହ ବେଲୁନ ଉଡିବା ପରେ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ଆଲର୍ଟ କରିଥିଲା ତାଇଓ୍ବାନ ସାମରିକ ବାହିନୀ ।

ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ନେତା ଲାଇ ଚିଙ୍ଗ ତେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରଠାରୁ ଚୀନ ହୋଇଛି ଉତକ୍ଷିପ୍ତ । ତାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ ନେତା ବୋଲି କହିଆସୁଛି ବେଜିଂ । ଗତ ୧୮ ତାରିଖରେ ତାଇଓ୍ବାନ ଆକାଶରେ ୨୪ଟି ଯୁଦ୍ଧ ବିମାନ ଉଡିବା ପରେ ତାଇଓ୍ବାନରେ ଆତଙ୍କ ପ୍ରକାଶ ପାଇଥିଲା । ଗତବର୍ଷ ସେପପ୍ଟେମ୍ବରରେ ତାଇଓ୍ବାନ ଉପରେ ବି ଉଡିଥିଲା ୧୦୩ଟି ଚୀନ ବିମାନ ।