କେନ୍ଦୁଝର ଜିଲ୍ଲା ସିଲସୁଆଁରେ ବିକାଶର ସମୀକ୍ଷା କଲେ 5T ଅଧ୍ୟକ୍ଷ

1 min read

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଅନ୍ୟ ଜିଲ୍ଲା ପାଇଁ ଏହା ଇର୍ଷଣୀୟ ହୋଇପାରେ । କେବଳ ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଂଜୁର କରିଛନ୍ତି । କେନ୍ଦୁଝର ସିଲସୁଆଁରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ଗତ ଜୁନରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଆବେଦନ ମିଳିଥିଲା । ସେ ମଧ୍ୟରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି । ମା ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସପ୍ତାହେ ତଳେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶନିବାର ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା ତାରିଣୀ ମନ୍ଦିର ବି ସେମିତି ନୂଆ ରୂପରେ ସଜେଇ ହେବ । ଆଗାମୀ ୧୦୦ ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନରେ କୌଣସି ସମସ୍ୟା ହେବନି । ସେ କହିଛନ୍ତି ଯେ, ବଳଦେବଜୀଉ ମନ୍ଦିର ରୂପାନ୍ତରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଂଝ ମନ୍ଦିର ରୂପାନ୍ତରଣ ପାଇଁ ୨କୋଟି ୪୦ ଲକ୍ଷ ଟଙ୍କା, ସୀତାମଠର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ସେହିଭଳି ଭୀମକୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଲୋକଙ୍କ ଦାବିଥିଲା । ଏଥିପାଇଁ ୧୯ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚାଘାଇ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ୨ କୋଟି ଟଙ୍କା, ତେଲକୋଇ ଠାରେ ଏକ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୪୧ କୋଟି ଓ ସଣ୍ଟେଇବଂଝାରେ ଆଉ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି ଟଙ୍କା ମଂଜୁର ହୋଇଛି ।

କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁକିଛି ହୋଇଛି । ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବର୍ଷରୁ ଯୁକ୍ତଦୁଇ ପାଠପଢା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ଯାହା ଆବେଦନ ଆସିବ ତାକୁ ସମ୍ମାନର ସହ ସମାଧାନ କରାଯିବ ବୋଲି ସେ କହିଛନ୍ତି । ଓଡିଶାର ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି । ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକ ବିଏସକେୱାଇ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ମାସରେ ଦୁଇ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଏବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି । ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ।ଯୋଗାଯୋଗ ବ୍ୟବସ୍ଥାରେ ଲକ୍ଷ୍ମୀ ବସ ସେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଗାଁ ସହ ଯୋଡି ହୋଇଛି ବ୍ଲକ । ଆସନ୍ତାମାସରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହେବ । ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିଭଳି ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନଥିବା ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବ ।