ଭାରତୀୟ ମାର୍କେଟରେ ବଡ଼ ବିପର୍ଯ୍ୟୟ, ନିବେଶକ ହରାଇଲେ ୫ ଲକ୍ଷ କୋଟି ଟଙ୍କା

1 min read

ମୁମ୍ବାଇ: ଭାରତୀୟ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ। ସେନସେକ୍ସ ୧୧ ଶହ ପଏଣ୍ଟ ଖସିଥିବା ବେଳେ ନିଫଟି ୨୪ ହଜାର ୯ ଶହ ପଏଣ୍ଟ ତଳକୁ ଖସିଛି। ଏହା ଦ୍ଵାରା ମାର୍କେଟରୁ ଯାଇଛି ୫ ଲକ୍ଷ କୋଟି ଟଙ୍କା। ଗୋଟିଏ ଦିନରେ ଏତେ ଟଙ୍କା ହରାଇଛନ୍ତି ଭାରତୀୟ ନିବେଶକ। ଆମେରିକାର ମାର୍କେଟର ସ୍ଥିତିକୁ ନେଇ ଯେଉଁ ଆଶଙ୍କା ଦେଖାଦେଇଛି, ତାର ପ୍ରଭାବ ପଡ଼ିଛି ଭାରତୀୟ ମାର୍କେଟରେ।

ଆଜି ଆମେରିକାର ନିଯୁକ୍ତି ଡାଟା ଆସିବାର ଅଛି। ଆଶଙ୍କା କରାଯାଉଛି, ଏହା କମିପାରେ। ଅର୍ଥାତ ଆମେରିକାର ବହୁତ ଲୋକ ବେକାରୀ ଥିବାର ରିପୋର୍ଟ ଆସିବ ବୋଲି ଆଶଙ୍କା କରାଯାଉଛି। ଏହାର ଅର୍ଥ ଆମେରିକା ମାର୍କେଟରେ ଆଗକୁ ମାନ୍ଦାବସ୍ଥା ଦେଖା ଦେଇପାରେ। ଆମେରିକାର ଅର୍ଥନୀତି ପ୍ରଭାବିତ ହେଲେ ସାରା ବିଶ୍ଵର ଅର୍ଥନୀତି ପ୍ରଭାବିତ ହୋଇଥାଏ। ଏହି କ୍ରମରେ ଭାରତୀୟ ମାର୍କେଟରେ ବି ପ୍ରଭାବ ପଡ଼ିପାରେ।

ସେହି ଆଶଙ୍କା ଯୋଗୁଁ ଆଜିର ମାର୍କେଟରେ ଏହି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଭାରତୀୟ ମାର୍କେଟ ଆଜି ତଳକୁ ଖସିବାର ଆଉ ଏକ କାରଣ ହେଲା-ଲୋନ୍ ଓ ଡିପୋଜିଟ୍ ବୃଦ୍ଧି ଡାଟା ଆସିବା ଆଗରୁ ବ୍ୟାଙ୍କ ଷ୍ଟକ୍ ଗୁଡ଼ିକର ପ୍ରାଇସ୍ ଖସିଛି। ଅନ୍ୟ ଦେଶରେ ବି ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ, ଯାହାର ପ୍ରଭାବ ପଡ଼ିଛି ଭାରତୀୟ ମାର୍କେଟରେ। ଭାରତୀୟ ମାର୍କେଟରୁ FII ଅର୍ଥାତ ବିଦେଶୀ ନିବେଶକମାନେ ନିଜ ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି।

ସେପ୍ଟେମ୍ବର ମାସରେ ୬୮୮ କୋଟି ଟଙ୍କାର FII ପ୍ରତ୍ୟାହାର ହୋଇଛି। ଏସବୁର ପ୍ରଭାବ ପଡ଼ିଛି ଭାରତୀୟ ମାର୍କେଟରେ ଏବଂ ଆଜି ଦେଖିବାକୁ ମିଳିଛି ବିପର୍ଯ୍ୟୟ।