ନୂଆ ଲେବର କୋଡ ଆଣିବେ କେନ୍ଦ୍ର ସରକାର, ସପ୍ତାହରେ ୪ ଦିନ କାମ ୩ ଦିନ ଛୁଟି

ନୂଆଦିଲ୍ଲୀ: ଆସନ୍ତା ନୂଆ ଆର୍ଥିକ ବର୍ଷରୁ ଆସିବ ନୂଆ ନିୟମ । ସପ୍ତାହରେ ୪ ଦିନ କାମ ଓ ୩ ଦିନ ଛୁଟି ନିୟମ ଲାଗୁ ହେବ । ଏହା ସହ ମଜୁରୀ, ସାମାଜିକ ନିରାପତ୍ତା, ଶିଳ୍ପ ସମ୍ପର୍କ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଚାରୋଟି ଲେବର କୋଡ ଆସିବ । ଏନେଇ ସମସ୍ତ ଯୋଜନା ଚୂଡାନ୍ତ  ହୋଇଛି । ନୂଆ ଲେବର କୋଡ ନେଇ ଖୁବ୍ ଶୀଘ୍ର ଗାଇଡଲାଇନ ଜାରି କରାଯିବ । ଏହି ନିଷ୍ପତ୍ତି ଯୋଗୁ ଦେଶରେ କର୍ମ ସଂସ୍କୃତିରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ନିୟମ ନେଇ ନିଜ ନିଜର ଖସଡା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧୩ଟି ରାଜ୍ୟ ନିଜ ନିଜର ଚିଠାନୀତି ପ୍ରସ୍ତୁତ କରିଛନ୍ତି ।

ନୂଆ ନିୟମ ଅନୁସାରେ କର୍ମଚାରୀମାନେ ଏହି ୪ ଦିନ ୧୨ ଘଣ୍ଟା ଲାଗି କାମ କରିବେ । ପ୍ରତିମାସରେ ଦାଖଲ ହେଉଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିର ପରିମାଣ ବୃଦ୍ଧି ପାଇବ । ଏହା ଯୋଗୁ କର୍ମଚାରୀଙ୍କ ଦରମା ପରିମାଣ ହ୍ରାସ ପାଇବ । ବର୍ତ୍ତମାନର ନିୟମ ଅନୁସାରେ ଭବିଷ୍ୟନିଧି ପାଣ୍ଠି ପାଇଁ ଜଣେ ନିଯୁକ୍ତିଦାତାଙ୍କ ଅବଦାନ କର୍ମଚାରୀଙ୍କ ବେସିକ ଦରମା ଓ ମହଙ୍ଗାଭତ୍ତା ଉପରେ ନିର୍ଭର କରିଥାଏ । ଯଦି ଜଣେ କର୍ମଚାରୀ ମାସିକ ୫୦ ହଜାର ଟଙ୍କା ଦରମା ପାଆନ୍ତି ତେବେ ତାଙ୍କର ବେସିକ ଦରମା ହେବ ୨୫ ହଜାର ଟଙ୍କା । ଅବଶିଷ୍ଟ ୨୫ ହଜାର ଟଙ୍କା ଭତ୍ତା ଭାବେ ଗଣନା କରାଯାଇଥାଏ । ଯଦି ବେସିକ ପରିମାଣ ବୃଦ୍ଧି କରାଯାଏ ତେବେ ସେହି ଅନୁସାରେ ଅଧିକ ପିଏଫ ପରିମାଣ କର୍ମଚାରୀଙ୍କ ଦରମାରୁ ବିଯୁକ୍ତ କରାଯିବ । ଫଳରେ କର୍ମଚାରୀଙ୍କ ଟେକ୍ ହୋମ ଦରମା ପରିମାଣ ହ୍ରାସ ପାଇବ ।

Leave a Reply