ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ‘କାଳିଆ’ ଟଙ୍କା

1 min read

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରିବେ । ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି କୃଷି ବିଭାଗ ପକ୍ଷରୁ ‘ପଣସ ମିଶନ’ ଓ ଅଧିକରୁ ଅଧିକ ବାଜରା ଚାଷ କରାଯିବା ପାଇଁ ମିଲେଟ ମିଶନକୁ ସଂପ୍ରସାରିତ କରାଯିବ । ଏହାସହ କୃଷକ ଓ କୃଷି ଉଦ୍ୟୋଗୀଙ୍କୁ ସବୁ ସହାୟତାକୁ ଗୋଟିଏ ପ୍ଲାଟ ଫର୍ମରେ ଯୋଗାଇଦେବା ପାଇଁ ସୁଗମ ପୋର୍ଟାଲ ଓ କୃଷକ ଓଡ଼ିଶା ପୋର୍ଟାଲ ଲୋକାର୍ପଣ କରାଯିବ ।

ଆଜି ଅପରାହ୍ଣରେ ହେବାକୁ ଥିବା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚଆଲ ମାଧ୍ୟମରେ ଯୋଡ଼ି ହେବା ସହ ଏହି ଟଙ୍କା ପ୍ରଦାନ କରିବେ । ଏହା ସହିତ ମିଶ୍ରିତ ଚାଷ ନେଇ ଯୋଜନା ଆରମ୍ଭ କରାଯିବ । ମଇ ୩୧ରେ ବ୍ରଜରାଜନଗରରେ ଉପ-ନିର୍ବାଚନ ଥିବା ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏଣୁ ସେଠାକର ଚାଷୀ ଏହି ସହାୟତା ରାଶି ପାଇପାରିବେ ନାହିଁ । ୨୦୧୮ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ଏଥିସହିତ ପଢ଼ନ୍ତୁ:ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ଆସାନୀ