କରୋନାର ବିନାଶକାରୀ ପରିଣାମ, ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ାରୁ ବଞ୍ଚିତ

37% students in rural areas, 19% in Urban Not Studying At All Survey

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଛି ସ୍କୁଲ୍ । ଯାହାର ଭୟାବହ ବିନାଶକାରୀ ପରିଣାମ ସାମ୍ନାକୁ ଆସିଛି । ସର୍ଭେରୁ ଜଣାପଡ଼ିଛି, କରୋନା ପାଇଁ ଦେଶର ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ପିଲା ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି । ୪୮ ପ୍ରତିଶତ ପିଲା ଗୋଟିଏ ମଧ୍ୟ ଶବ୍ଦ ପଢ଼ିବାକୁ ଅକ୍ଷମ ।

ଦ ସ୍କୁଲ୍ ଚିଲଡ୍ରେନ୍ସ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂସ୍ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଲୁକଡ୍ ଆଉଟ୍: ଏମରଜେନ୍ସି ରିପୋର୍ଟ ଅନ୍ ସ୍କୁଲ୍ ଏଜୁକେସନ ଶୀର୍ଷକ ସର୍ଭେରେ ଦେଶର ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଆଉ ସର୍ଭେରୁ ମିଳିଥିବା ତଥ୍ୟ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ଭଳି । ଗ୍ରାମାଞ୍ଚଳର ୨୮ ପ୍ରତିଶତ ଶିକ୍ଷାର୍ଥୀ ସର୍ଭେ ବେଳେ ପଢ଼ାପଢ଼ି କରୁଥିବାବେଳେ ୩୭ ପ୍ରତିଶତ ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ । ଆଉ ୫୦ ପ୍ରତିଶତ ପିଲା ଗୋଟିଏ ମଧ୍ୟ ବାକ୍ୟ ପଢ଼ିବାକୁ ସକ୍ଷମ ହୋଇ ନଥିଲେ ।

ସର୍ଭେ ଅନୁସାରେ, ସହରାଞ୍ଚଳରେ ୪୭ ପ୍ରତିଶତ ପିଲା ନିୟମିତ ପାଠ ପଢ଼ଥିବା ବେଳେ ୧୯ ପ୍ରତିଶତ ନିୟମିତ ପଢ଼ିବାକୁ ସକ୍ଷମ ନୁହଁନ୍ତି । ସେହିଭଳି ଗୋଟିଏ ଧାଡ଼ି ପଢ଼ିବାରେ ଅକ୍ଷମ ସହରାଞ୍ଚଳରେ ରହୁଥିବା ୪୨ ପ୍ରତିଶତ ଛାତ୍ରଛାତ୍ରୀ । ମହାମାରୀ ପାଇଁ ଦେଢ଼ବର୍ଷ ଧରି ଦେଶରେ ସ୍କୁଲ ବନ୍ଦ ରହିଛି । କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ କେତେକ ରାଜ୍ୟ ସେପ୍ଟେମ୍ବରରେ ପର୍ଯ୍ୟାୟ ଭିତ୍ତିରେ ଶ୍ରେଣୀଗୃହ ପାଠପଢ଼ା ପୁଣି ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ନିୟମିତ ୨୪ ପ୍ରତିଶତ ପିଲା ଅନଲାଇନ୍ କ୍ଲାସ ଆଟେଣ୍ଡ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ମାତ୍ର ୮ ପ୍ରତିଶତ । ଦୁର୍ବଳ ଆର୍ଥିକ ସ୍ଥିତି, ନେଟୱର୍କ ସମସ୍ୟା ଏବଂ ସ୍ମାର୍ଟଫୋନ୍ ନଥିବା କାରଣରୁ ଅନଲାଇନ୍ ଶିକ୍ଷାରୁ ପିଲାମାନେ ବଞ୍ଚିତ ହୋଇଛନ୍ତି । ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ପରିବାର ପାଖରେ ସ୍ମାର୍ଟଫୋନ୍ ନାହିଁ । ଆଉ ଆଦିବାସୀ ଓ ଦଳିତ ପରିବାର କ୍ଷେତ୍ରରେ ଏହା ଆହୁରି ଚିନ୍ତାଜନକ । ମାତ୍ର ୪ ପ୍ରତିଶତ ଏସସି, ଏସଟି ଛାତ୍ରଛାତ୍ରୀ ନିୟମିତ ଅନଲାଇନରେ ପାଠ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଗୋଟିଏ ଧାଡ଼ି ପଢ଼ିବାରେ ସକ୍ଷମ ।

Leave a Reply