ଆସିଲା ଉପନିର୍ବାଚନ ଫଳାଫଳ, ୟୁପିରେ ବିଜେପିକୁ ସଫଳତା

ନୂଆଦିଲ୍ଲୀ:  ଦୁଇ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଞ୍ଜାବର ମୋଟ ତିନି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିଯାଇଛି  । ସେହିପରି ଚାରି ଅନ୍ୟ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଆସିଯାଇଛି  । ଏହି ସମସ୍ତ ୧୦ ଆସନ ପାଇଁ ଗତ ଜୁନ୍ ୨୩ ତାରିଖରେ ନିର୍ବାଚନ ହୋଇଥିଲା । ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନ ସମାଜବାଦୀ ପାର୍ଟି ଠାରୁ ବିଜେପି ଛଡାଇନେଇଛି  । ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ଏହି ଆସନରେ ବିଜୟ ଲାଭ କରିଛନ୍ତି  ।

ସମାଜବାଦୀ ପାର୍ଟିର ଗଡ ଭାବେ ପରିଚିତ ଆଜମଗଡ଼ରେ ଦଳକୁ ପରାଜୟ ମିଳିଛି  । ଆଜମଗଡ଼ ଆସନରେ ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଭାଇ ଧର୍ମେନ୍ଦ୍ରଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି  । ଅନ୍ୟପକ୍ଷରେ ପଞ୍ଜାବର ସଙ୍ଗରୁର ଲୋକସଭା ଆସନରେ ଶିରୋମଣୀ ଅକାଳି ଦଳର ପ୍ରାର୍ଥୀ ସିମରଣଜୀତ ସିଂ ମାନ ବିଜୟ ଲାଭ କରିଛନ୍ତି  । ୭୭ ବର୍ଷୀୟ ମାନ ଆମ ଆଦମୀ ପାର୍ଟି (ଏଏପି) ଠାରୁ ଏହି ଆସନ ଛଡାଇ ନେଇଛନ୍ତି  । ଏଏପି ପ୍ରାର୍ଥୀ ଗୁରମେଲ ସିଂହଙ୍କୁ ହରାଇଛନ୍ତି  । ୨୦୧୯ ରେ ଏହି ଆସନରୁ ଭଗବନ୍ତ ମାନ ନିର୍ବାଚିତ ହୋଇଥିଲେ  । ସେ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନ ଖାଲି ପଡିଥିଲା  ।

ଦିଲ୍ଲୀ ରାଜିନ୍ଦର ନଗର ବିଧାନସଭା ଆସନରୁ ଆମ ଆଦମି ପାର୍ଟି (ଏଏପି) ପ୍ରାର୍ଥୀ ଦୁର୍ଗେଶ ପାଠକ ୧୧,୫୫୫ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି  । ଅନ୍ୟପକ୍ଷରେ ତ୍ରିପୁରା ଟାଉନ ବାରଦୋୱାଲି ଆସନରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି ମାଣିକ ଶାହ । ଯଦି ପରାଜିତ ହୋଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଚାଲିଯାଇଥାନ୍ତା  । ତ୍ରିପୁରାର ଅଗରତାଲାରୁ କଂଗ୍ରେସର ସୁଦୀପ ରାୟ ବର୍ମନ ଏହି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି  । ତ୍ରିପୁରାର ସୁର୍ନା ବିଧାନସଭା ଆସନରେ ବିଜେପିର ସ୍ୱପ୍ନା ଦାସ ପଲ ଆଗୁଆ ଅଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ଆତ୍ମାକୁର ବିଧାନସଭା ଆସନରୁ କ୍ଷମତାସୀନ ୱାଇଏସଆର କଂଗ୍ରେସର ଏମ ବିକ୍ରମ ରେଡ୍ଡୀ ବିଜୟ ଲାଭ କରିଛନ୍ତି  । ଝାଡଖଣ୍ଡର ମନ୍ଦାର ବିଧାନସଭା ଆସନରେ କଂଗ୍ରେସର ଶିଳ୍ପୀ ନେହା ତିର୍କୀ ଆଗୁଆ ଅଛନ୍ତି  ।