୨୦୨୩ର ଶେଷ ସୂର୍ଯ୍ୟାସ୍ତ

ଭୁବନେଶ୍ବର: ସରିଗଲା ସ୍ମୃତି , ଅନୁଭୂତିର ଆଉ ଏକ ଅଧ୍ୟାୟ । ପଛକୁ ରହିଗଲା ମାନ ଅଭିମାନ । ସୁଖଦୁଃଖ ଆଉ କୋହର କାହାଣୀକୁ କୋଳେଇ ନେଇ ପାହାଡ ସେପଟେ ଚୁପ କରି ଅସ୍ତଗଲେ ସୂର୍ଯ୍ୟ । ଲାଲ ମୁହଁରେ ସାରା ପଶ୍ଚିମ ଆକାଶକୁ ନାଲି କରି ଫେରିଗଲା ୨୦୨୩  । କିଛି କ୍ଷଣ ପାଇଁ ଚୁପ ହୋଇ କୋଳାହଳପୂର୍ଣ୍ଣ ଜଗତକୁ ନିସ୍ତବ୍ଧ କରିଦେଇ ଧିରେ ଧିରେ ହଜିଯାଇଛି କେଉଁ ଅପହଞ୍ଚ ଦିଗବଳୟରେ ।  ଆଉ ପ୍ରତିଶ୍ରୁତି  ଦେଇଯାଇଛି ଆସନ୍ତା କାଲି ଆସିବ ଏକ ନୂଆ ସମ୍ଭାବନା, ନୂଆ ଆକାଂକ୍ଷା ନେଇ, ନୂଆ ଏକ ସଂଖ୍ୟାକୁ ସାଥି କରି  । ବର୍ଷର ଶେଷ ମାସ, ଶେଷ ସପ୍ତାହ ଓ ଶେଷ ଦିନରେ ୨୦୨୩କୁ ବିଦାୟ ଦେଇଛି ସାରା ଦୁନିଆ । ପକ୍ଷୀଙ୍କ କଳରବ ସାଙ୍ଗକୁ ରବିଙ୍କ ଶେଷ କିରଣ ସତେ ଯେମିତି କହିଦେଇଗଲା, ମୁଁ ଫେରିବି କିଛି ନୂଆ ଆଶା ଏବଂ ନୂଆ ଉଦ୍ଦୀପନା ନେଇ । କିଏ ବର୍ଷର ଶେଷ ମୁହୂର୍ତ୍ତର ଶେଷ ସୂର୍ଯ୍ୟାସ୍ତକୁ ନିଜ ମୋବାଲରେ କଏଦ କରିଛି ତ ଆଉ କିଏ ସୂର୍ଯ୍ୟାସ୍ତକୁ ଦେଖି କେତେ କଣ ଭାବି ଦେଇଛି । ପୁରୀଠୁ କୋଣାର୍କ ଓ ବାଲେଶ୍ବର ବେଳାଭୂମୀରେ ୨୦୨୩ର ଶେଷ ସୂର୍ଯ୍ୟାସ୍ତ ଦେଖିବାକୁ ଭିଡ଼ ଜମିଥିଲା । ଏ ସୂର୍ଯ୍ୟ ଆଗାମୀ କାଲି ନୂଆ ଏକ ଅଧ୍ୟାୟ ନେଇଆସିବ । ୨୦୨୪ର ସମ୍ଭାବନାକୁ ସାଥିରେ ନେଇ ପୁଣି ଉଇଁବ ଆଉ ସାରା ଜଗତକୁ ଆଲୁଅର ପର୍ବରେ ଭିଜାଇଦେବ।