ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷର ଆଧିପତ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ, ଶେଷ ହେଲା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା

କାବୁଲ: ଆଫଗାନିସ୍ତାନରୁ ଶେଷ ହେଲା ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା। ଦୀର୍ଘ ୨୦ ବର୍ଷର ଆଧିପତ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଫଗାନ ମାଟିରୁ ବିଦାୟ ନେଲା ଆମେରିକା। ଶେଷ ପର୍ଯ୍ୟାୟ ଉଦ୍ଧାର ପ୍ରକ୍ରିୟାରେ ଅବଶିଷ୍ଟ ସୈନ୍ୟଙ୍କୁ ଆମେରିକା ନେଇଯାଇଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲା କେନେଥ ମାକେନଜି ଶେଷ ଘୋଷଣାରେ କହିଛନ୍ତି, ଆଫଗାନିସ୍ତାନରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର କରାଯିବା ସହ ୨୦ବର୍ଷର ସାମରିକ ମିଶନର ଅନ୍ତ ଘଟିଛି।

ଗତକାଲି ଠିକ୍ ମଧ୍ୟରାତ୍ରୀରେ ସି୧୭ ସାମରିକ ବିମାନରେ ହମିଦ କାର୍ଜାଇ ଆନ୍ତର୍ଜାତିକ ବିମାନବନ୍ଦରରୁ ଅବଶିଷ୍ଟ ସୈନ୍ୟ ସ୍ୱଦେଶ ଫେରିଯାଇଥିଲେ। ଏହି ବିମାନରେ ମାର୍କିନ ସୈନ୍ୟ, କିଛି କମାଣ୍ଡର, ରାଷ୍ଟ୍ରଦୂତ ରସ୍ ଓ୍ୱିଲସନ ଓ ଅନ୍ୟ କିଛି କର୍ମଚାରୀ ଆଫଗାନ ମାଟି ଛାଡିଥିଲେ। ଏହା ସହ କାବୁଲସ୍ଥିତି ମାର୍କିନ ଦୂତାବାସରେ ମଧ୍ୟ ତାଲା ଝୁଲିବା ଦେଖାଯାଇଥିଲା। ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇଦେବା ପରେ ଆମେରିକାର ମିଶନ ଶେଷ ହୋଇଥିଲା। ଶେଷ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ୨୦ ବର୍ଷ ପରେ ଆମେରିକାର ଦାୟିତ୍ୱ ଶେଷ ହୋଇଛି।

ଏବେ ବଳକା ଲୋକଙ୍କୁ ନିରାପଦରେ ସେମାନଙ୍କ ନିଜ ନିଜ ଦେଶକୁ ଫେରାଇବା ଦାୟିତ୍ୱ ତାଲିବାନର। ଅଗଷ୍ଟ ୩୧କୁ ଡେଡଲାଇନ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଘୋଷଣା କରିଥିବା ବେଳେ, ଏହି ତାରିଖ ସୁଦ୍ଧା ଦେଶ ଛାଡିବା ଲାଗି ତାଲିବାନ ବି ଡେଡଲାଇନ ଶୁଣାଇଥିଲା। ପୂର୍ବରୁ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, କାନଡା ଆଦି ୨୦ରୁ ଅଧିକ ଦେଶ ପକ୍ଷରୁ ମିଶନ ଶେଷ ହୋଇଯାଇଥିଲା ଏବଂ ସେମାନଙ୍କ ଦେଶର ନାଗରିକମାନେ ସ୍ୱଦେଶ ଫେରିଯାଇଥିଲେ। ଗତ ୨୦୦୧ରେ ଆମେରିକାର ଟ୍ରେଡ ଟାଓ୍ୱାର ଉଡାଇ ଦେବା ପରେ ଅଲ କାଇଦା ଓ ଅନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆଫଗାନ ମାଟିକୁ ଯେପରି ଆମେରିକା ବିରୋଧରେ ଉପଯୋଗ କରାଯାଇପାରିବ ନାହିଁ ସେନେଇ ଆମେରିକା ଓ ନାଟୋ ସୈନ୍ୟ ସେଠାରେ ମୁତୟନ ହୋଇଥିଲେ। ଡେଡଲାଇନ ସରିବା ଆଗରୁ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ସହ ରକେଟ ଓ କ୍ଷେପଣାସ୍ତ୍ର ମାଡ ଘଟଣା ଦେଶର ଅସ୍ଥିରତାକୁ ଅଧିକ ଦୋହଲାଇ ଦେଇଥିଲା।

Leave a Reply