ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨ ହଜାର ୮୩୬ ମିନି ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨ ହଜାର ୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏଥିପାଇ ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ କରିବେ ରାଜ୍ୟ ସରକାର । ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ 74 ହଜାର 154 ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ 10 ହଜାର 416 ମିନି ଅଙ୍ଗନବାଡି ଥିଲା । ସେଥିରୁ 2 ହଜାର 836 ମିନି ଅଙ୍ଗନବାଡି ଏବେ ଅଙ୍ଗନବାଡିକୁ ଉନ୍ନୀତ ହୋଇଛନ୍ତି ।

ଏହି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଯଥା – ଔଷଧ, ଆସବାବପତ୍ର ଓ ପ୍ରଶାସନିକ ଖର୍ଚ୍ଚ ତୁଲାଇବା ପାଇଁ ଅଧିକ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିପାଇଁ ସାରା ରାଜ୍ୟରେ ୧୧୪ ଟି ସୁପର ଭାଇଜର ପଦବୀ ସୃଷ୍ଟି କରାଯାଇଛି । ଏହି ଅପଗ୍ରେଡେସନ ସହିତ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀଙ୍କୁ ସହାୟତା କରିବା ପାଇଁ ଜଣେ ଜଣେ ଅଙ୍ଗନବାଡି ସହାୟକ ନିଯୁକ୍ତ କରାଯିବ। ଏହିପରି ୨ ହଜାର ୮୩୬ ଅଙ୍ଗନବାଡି ସହାୟକଙ୍କୁ ନିଯୁକ୍ତ କରାଯିବ ଏବଂ ଏହାସହିତ, ୨ ହଜାର ୮୩୬ ମିନି ଅଙ୍ଗନବାଡି କର୍ମୀ ପଦବୀକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କର୍ମୀ ପଦବୀ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୮ କୋଟି ୭୫ ଲକ୍ଷ ୪୧ ହଜାର ୪୪୦ ଟଙ୍କା ଖର୍ଚ୍ଚ କରିବେ ।