ଜାମୁ କାଶ୍ମୀର ସୋପିଆନ ଅଞ୍ଚଳରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ସୋପିଆନ ଅଞ୍ଚଳରେ ସେନାର ଏନକାଉଣ୍ଟର । ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ଆତଙ୍କବାଦୀ ଲସକର ଏ ତୋଇବା ସଂଗଠନର ସଦସ୍ୟ ବୋଲି ଜଣାପଡିଛି । ଦୁଇ ନିହତ ଆତଙ୍କବାଦୀ ସ୍ଥାନୀୟ ଅଂଚଳର । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଅବରାର ନାମକ ଆତଙ୍କବାଦୀ  କାଶ୍ମୀର ପଣ୍ଡିତଙ୍କ ନରସଂହାରରେ ଜଡ଼ିତ ଥିଲା । ଗତ ଫେବୃଆରୀରେ ପୁଲୱାମା ଅଂଚଳରେ କାଶ୍ମୀର ପଣ୍ଡିତ ସଂଜୟ ଶର୍ମାଙ୍କ ହତ୍ୟାରେ ସାମିଲ ଥିଲା ଜାସିମ ଫାରୁକ ଓରଫ ଅବରାର ।

ଗତକାଲି ରାତିରୁ ଚାଲିଥିଲା କାଶ୍ମୀର ପୋଲିସ ଓ ସେନାର ମିଳିତ ଏନକାଉଣ୍ଟର ।ସୋପିଆନ ଜିଲ୍ଲାର ଆସିପୋରା ଗାଁ ନିକଟରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନର ନିଶିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ସମ୍ପର୍କରେ ଏହି ଦୁଇ ଆତଙ୍କବାଦୀ କାର୍ଯ୍ୟକଳାପ ଚଲାଇ ଆସୁଥିଲେ । ମାସକ ମଧ୍ୟରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଏହା ତୃତୀୟ ଗୁଳିବିନିମୟ । ଏନକାଉଣ୍ଟରରେ ୩୦ ଦିନ ମଧ୍ୟରେ ସେନାର ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀ ୫୪ ଆତଙ୍କବାଦୀକୁ ସଫା କରିସାରିଲେଣି । ସେମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ ଆତଙ୍କବାଦୀ ରହିଛନ୍ତି ।