ମାଲ୍ ବୋଝେଇ ପିକଅପ୍‌କୁ ପିଟିଲା ଆମ୍ୱୁଲାନ୍ସ;୨ଜଣ ଗୁରୁତର

ଭଦ୍ରକ: ମାଲ ବୋଝେଇ ପିକଅପକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ଛକ ନିକଟରେ ଘଟିଛି ଦୁର୍ଘଟଣା । ରାଜପଥ କଡ଼ରେ କାଠ ବୋଝେଇ ହୋଇଥିବା ଏକ ପିକ ଅପ ଭ୍ୟାନ୍ ଠିଆ ହୋଇଥିବା ବେଳେ ଆମ୍ବୁଲାନ୍ସଟି ପଛରୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କାରେ ପିକଅପଟି ରାଜପଥ କଡ଼ ନାଳକୁ ଖସି ପଡିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କ ପରିଚୟ ମିଳିପାରି ନାହିଁ ।