ନେପାଳ ବିମାନର ମିଳିଲା ୨ଟି ବ୍ଲାକବକ୍ସ, ୩୦ ବର୍ଷର ସବୁଠାରୁ ଭୟାନକ ଦୁର୍ଘଟଣା

1 min read

କାଠମାଣ୍ଡୁ: ନେପାଳ ପୋଖରାରେ ଦୁର୍ଘଟଣାରେ ଧ୍ବଂସ ହୋଇଥିବା ବିମାନର ମିଳିଲା ୨ଟି ଯାକ ବ୍ଲାକବକ୍ସ । ୟେତି ଏୟାରଲାଇନସର ବିମାନ ଦୁର୍ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳି ନଥିବାବେଳେ ବ୍ଲାକବକ୍ସ ହିଁ ବାସ୍ତବ ତଥ୍ୟ ପ୍ରଦାନ କରିବା ନେଇ ଆଶା ସୃଷ୍ଟି ହୋଇଛି । ATR 72 ବିମାନର ବ୍ଲାକବକ୍ସଟି ଭଲ ଅବସ୍ଥାରେ ଥିବା କହିଛନ୍ତି କାଠମାଣ୍ଡୁ ବିମାନ ବନ୍ଦର କର୍ତ୍ତୃପକ୍ଷ ତେକନାଥ ସିତାଉଲା ।

ଦୁର୍ଘଟଣାସ୍ଥଳରେ ଗତକାଲି ଅପରାହ୍ଣରୁ ଆଜି ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ମେଘୁଆ ପାଗ ଓ କୁହୁଡି ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପରିବାରକୁ ଏନେଇ ସୂଚନା ଦିଆଯାଇଥିବା ସେ କହିଛନ୍ତି । ଦୁର୍ଘଟଣାସ୍ଥଳରେ ୩୦୦ ଫୁଟ ଗଭୀର ଉପତ୍ୟକାରେ ବି ଗତକାଲି ଠାରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଗତକାଲିର ଦୁର୍ଘଟଣାରେ ୫ ଭାରତୀୟ, ୪ ଋଷୀୟ, ସାଉଥ କୋରିଆର ୨ ଜଣ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନସ ଓ ଆୟରଲ୍ୟାଣ୍ଡର ଜଣେ ଲେଖାଁଏ ଯାତ୍ରୀ ସମେତ ୭୨ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ନେପାଳରେ ଶେଷଥର ଲାଗି ୧୯୯୨ ମସିହାରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ କାଠମାଣ୍ଡୁ ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାଣ ହରାଇଥିଲେ ୧୬୭ ଯାତ୍ରୀ । ସେପଟେ ନେପାଳର ଗତ ୩୦ ବର୍ଷ ଇତିହାସରେ ପ୍ରଥମ ଥର ଲାଗି ଏହି ମର୍ମନ୍ତୁଦ ଦୁର୍ଘଟଣା ସବୁଠାରୁ ଭୟାନକ ଥିଲା ବୋଲି କୁହାଯାଇଛି । ମର୍ମନ୍ତୁଦ ଦୁର୍ଘଟଣା ପରେ ସାରା ନେପାଳରେ ଶୋକ ପ୍ରକାଶ ପାଇଛି ।