ଆମେରିକାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ, ୧୨ରୁ ଅଧିକ ଆହତ

ଓ୍ୱାଶିଂଟନ: ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜନଗହଳି ପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ପ୍ରକାଶ ପାଇଛି । ଆଗ୍ନେୟାସ୍ତ୍ର ଧରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ମାରିଥିବା ପୋଲିସ କହିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କଲମ୍ବିଆ ପୋଲିସ ମୁଖ୍ୟ । ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୁକ୍ତଙ୍କ ବୟସ ୧୫ରୁ ୭୩ ବର୍ଷ ବୟସ ମଧ୍ୟରେ ।

ଗୁଳିକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଥିଲା ଏବଂ ଲୋକମାନେ ବିଭିନ୍ନ ସ୍ଥାନରେ ଲୁଚିଯାଇଥିଲେ । ଗତ ବୁଧବାର ଦିନ ବ୍ରୁକଲିନର ଆଟଲାଣ୍ଟିକ ଟର୍ମିନାଲ ମଲରେ ଜଣେ ବାଳକକୁ ଗୁଳି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେହିପରି ଭାବରେ ଗତ ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ ସବଓ୍ବେରେ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ୧୩ ଜଣ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ଗ୍ୟାସ ମାସ୍କ ପିନ୍ଧି ଗୁଳି ମାରିଥିବା ଅଭିଯୁକ୍ତ ଫ୍ରାଙ୍କ ଜେମସକୁ ପରେ ଗିରଫ କରିଥିଲା ପୋଲିସ ।