spot_img

Latest Posts

ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଠା, ୧୧ ମୃତ

ମୁମ୍ବାଇ: ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ମୁମ୍ବାଇ। ଦିନ ତମାମ ମୂଷଳଧାର ବର୍ଷା ପରେ ବୁଧବାର ରାତିରେ ମଲାଡ ୱେଷ୍ଟର ମାଲମଣୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଅତି ଗୁରୁତର ହୋଇଛନ୍ତି।

ଗୁରୁତରମାନଙ୍କୁ ବିଡିବିଏ ନଗରର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ଖବରପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏବେ ବି କୋଠା ତଳେ ବହୁ ଲୋକ ଚାପି ହୋଇରହିଥିବା ଅନୁମାନ କରାଯାଉଛି।

ପ୍ରାରମ୍ଭିକ ସୂଚନା ମୁତାବକ, ଦୁର୍ଘଟଣା ବେଳେ ସେହି କୋଠାରେ ପ୍ରାୟ ୨୦ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରେ କେତେ ଜଣ ଶିଶୁ ମଧ୍ୟ ରହିଥିବା ଜଣାପଡିଛି। ଭୁଶୁଡ଼ିଥିବା କୋଠା ନିକଟରେ ଅନ୍ୟ ୩ଟି କୋଠା ଅତିଦୁର୍ବଳ ଅବସ୍ଥାରେ ରହିଛି। ସୁରକ୍ଷା ଦୃଷ୍ଟିରୁ ସେହି କୋଠାଗୁଡ଼ିକରୁ ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଇଛି ବୋଲି ବ୍ରିହାନମୁମ୍ବାଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ସେପଟେ ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷିବ ବୋଲି କହିଛି ପାଣିପାଗ ବିଭାଗ। ଏ ନେଇ ହାଇଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ରହିଥିବାରୁ ଉଦ୍ଧାରକାରୀ ଟିମ୍‌କୁ ଆଲର୍ଟରେ ରଖାଯାଇଛି। ଗତକାଲିଠାରୁ ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Latest Posts

Don't Miss