spot_img

Latest Posts

ପାଠ ପଢ଼ିବା ବୟସରେ ମା’! ବାଲ୍ୟ ବିବାହ ରୋକିବାକୁ ଆକ୍ସନ୍ ମୋଡ୍‌ରେ ଓଡ଼ିଶା ପୋଲିସ୍

ନନ୍ଦିଘୋଷ ବ୍ୟୁରୋ : କୁତ୍ସିତ ପରମ୍ପରାରୁ କରୁଣ ପରିଣତି। ପାଠ ପଢ଼ିବା ବୟସରେ ଅନେକ ନାବାଳିକା ବନୁଛନ୍ତି ମା’। ବାଲ୍ୟ ବିବାହ ଭଳି ସାମାଜିକ ବ୍ୟାଧିକୁ ରୋକିବା ପାଇଁ ଏବେ ଜୋରଦାର ଧରପଗଡ଼ ଆରମ୍ଭ କରିଛି ପ୍ରଶାସନ। ଏହାସହ ଓଡ଼ିଶା ପୋଲିସର ସ୍କାନରରେ ରହିଛି ଚାଇଲ୍ଡ ସ୍ମଗଲିଂ ମାମଲା। ଓଡ଼ିଶାରୁ ଅନେକ ଓଡ଼ିଆ ପଶ୍ଚିମବଙ୍ଗରେ ରହୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗର ଏକ ଅଲୋଡ଼ା ରେକର୍ଡ ଏବେ ପୋଲିସ ପ୍ରଶାସନ ଓ ସାମାଜିକ କର୍ମୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଚଳିତବର୍ଷ ଜାନୁଆରୀ ୧ରୁ ଜାନୁଆରୀ ୩୦ ମଧ୍ୟରେ ପ୍ରାୟ ୬୦ ହଜାର ନାବାଳିକା ଗର୍ଭବତୀ ହେବା ଖବର ସମସ୍ତଙ୍କୁ ଚକିତ କରିଛି। ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେର ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଅଣ୍ଡରଏଜ୍ ପ୍ରେଗନାନ୍ସି ମାମଲାରେ ତ୍ରିପୁରା ସର୍ବାଗ୍ରେ ରହିଛି। ଏହା ପଛକୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଆସାମ, ବିହାର ଓ ଝାଡ଼ଖଣ୍ଡ ରହିଛନ୍ତି। ଦେଶର ୧୧୮ଟି ଜିଲ୍ଲା ଏହି ଅଲୋଡ଼ା ରେକର୍ଡରେ ବିଶେଷ ଭାବେ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ତତ୍ପର ହୋଇଛି ଓଡ଼ିଶା ପ୍ରଶାସନ। ଓଡ଼ିଶା ପୋଲିସର କ୍ରାଇମ୍ ଏଗେନେଷ୍ଟ ଉଇମେନ୍ ଆଣ୍ଡ ଚିଲ୍ଡ୍ରେନ୍ ଉଇଙ୍ଗ୍ ମଧ୍ୟ ଆକ୍ସନ୍ ମୋଡ୍‌କୁ ଆସିଛି। ବାଲ୍ୟ ବିବାହ ଓ ଶିଶୁ ଚାଲାଣ ଭଳି ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ସହ ଲୋକଙ୍କୁ ସଚେତନ କରାଯାଉଛି। ପ୍ରତିବର୍ଷ ନଭେମ୍ବର ୨୭ ତାରିଖକୁ ଆନ୍ତର୍ଜାତିକ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ପାଳନ କରାଯାଏ। ତଥାପି ବାଲ୍ୟ ବିବାହ ଭଳି କୁପ୍ରଥା ଏବେ ବି ସମାଜରୁ ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଓଡ଼ିଶାରେ ପ୍ରତି ୫ ଜଣ ଝିଅଙ୍କ ମଧ୍ୟରୁ ଜଣେ ବାଲ୍ୟାବସ୍ଥାରେ ବିବାହ କରୁଥିବା ଦାବି ଚିନ୍ତା ବଢ଼ାଇଛି। ବାଲ୍ୟ ବିବାହ ଫଳରେ ନାବାଳିକାଙ୍କ ଶିକ୍ଷା ଅଧାରେ ଅଟକିଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ମାନସିକ ବିକାଶ ଓ ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଉଛି। ଆଇନର ଉଲ୍ଲଂଘନ କରି ନାବାଳିକାଙ୍କୁ ବିବାହ କରାଇବା କିମ୍ବା ଏଥିରେ ସହଯୋଗ କରିବା ଘଟଣାରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।

ସାରା ରାଜ୍ୟରେ ଏଭଳି ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଅଙ୍ଗନବାଡ଼ି କର୍ମୀ ଓ ଏନ୍‌ଜିଓ ମାଧ୍ୟମରେ ପରିବାର ଲୋକଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ବୁଝାଯାଉଛି। ଏହାସହ ଜାଣିଶୁଣି ନାବାଳିକାଙ୍କ ବିବାହ କରାଉଥିବା ଅଭିଯୁକ୍ତଙ୍କ ବିରୋଧରେ ରହିଥିବା ଆଇନଗତ ଦଣ୍ଡବିଧାନ ବିଷୟରେ ମଧ୍ୟ ଅବଗତ କରାଯାଉଛି। ତଥାପି ଶିକ୍ଷା ଓ ସଚେତନତାର ଅଭାବ ଅନେକ ସମୟରେ କୁନି ପିଲାଙ୍କ ଜୀବନକୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି। ତେଣୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ମୂଳରୁ ଦୂର କରିବା ସହ ଶିଶୁ ଚାଲାଣ ରୋକିବା ଏବେ ପ୍ରଶାସନ ଓ ସମାଜ ପାଇଁ ବଡ଼ ଆହ୍ୱାନ ପାଲଟିଛି।

Latest Posts

Don't Miss