ଦାଢ଼ି ଥିବାରୁ ୧୦୦ ଶିଖ୍ ସୁରକ୍ଷା ଗାର୍ଡ ଚାକିରିରୁ ବହିଷ୍କୃତ

ଟରୋଣ୍ଟୋ ସିଟି: କୁହାଯାଏ ଚାକିରି କ୍ଷେତ୍ରରେ କାହାର ଧର୍ମ ବର୍ଣ୍ଣ କିମ୍ବା ଜାତି ଦେଖି ନିଯୁକ୍ତି ଦିଆଯାଏ ନାହିଁ ବରଂ ତାର ଶିକ୍ଷା ଯୋଗ୍ୟତା ଓ ଦକ୍ଷତାକୁ ଦେଖି ଦିଆଯାଇଥାଏ । କିନ୍ତୁ କାନାଡାରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା । କାନାଡାରେ ଅନେକ ସଂଖ୍ୟାରେ ଶିଖ୍ ଧର୍ମର ଲୋକ ରୁହନ୍ତି ଏବଂ ସେଠାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ପ୍ରଶାସନର ଏକ ପଦକ୍ଷେପ କାରଣରୁ ଶିଖ୍ ମାନଙ୍କ ମଧ୍ୟରେ ବିଦ୍ରୋହ ଦେଖା ଦେଇଛି । ଟୋରଣ୍ଟୋ ସିଟି ପ୍ରଶାସନ ୧୦୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ଦାଢ଼ି କାରଣରୁ ଚାକିରିରୁ ବିଦା କରିଦେଇଛନ୍ତି । ଏହାପରେ ଶିଖ ସଂଗଠନ ରାଗରେ ରହିଥିବା ଦେଖା ଦେଇଛି । ପ୍ରଶାସନ କହିଛି ଯେ, ସୁରକ୍ଷାକର୍ମୀଙ୍କ ପାଇଁ ଏନ୯୫ ମାସ୍କ ଅନିର୍ବାର୍ଯ୍ୟ ଅଟେ ଏବଂ ଶିଖ ମାନଙ୍କ ଦାଢି ରହିଥିବା କାରଣରୁ ସେମାନେ ମାସ୍କକୁ ସଠିକ ଢଙ୍ଗରେ ପିନ୍ଧି ପାରୁନାହାନ୍ତି । ସମ୍ପୂର୍ଣ୍ଣ ଫିଟିଙ୍ଗ ପାଇଁ କ୍ଲିନ ସେଭ ଥିବା ଗାର୍ଡଙ୍କ ଆବଶ୍ୟକ ରହିଛି । ଫିଟ ଟେଷ୍ଟ ସମୟରେ ମଧ୍ୟ ମୁଁହରେ ଦାଢି ରଖିବାର ଅନୁମତି ନାହିଁ ।

ଅନ୍ୟପଟେ କାନାଡା ବିଶ୍ୱ ଶିଖ୍ ସଂଗଠନ (ଡବ୍ଲୁଏସଓ) ଚାକିରିରୁ ବହିଷ୍କୃତ ଶିଖ ସୁରକ୍ଷା ଗାର୍ଡଙ୍କୁ ପୁଣିଥରେ ଚାକିରିରେ ରଖିବା ପାଇଁ ଦାବି କରିଛି । ଟୋରଣ୍ଟୋ ସିଟି ନିକଟରେ ସହରର ସୁରକ୍ଷା ପାଇଁ ଗାର୍ଡଙ୍କ ପାଇଁ କ୍ଲିନ ଶେଭ ଭର୍ତ୍ତି ଆରମ୍ଭ କରିଛି । ଏହାର ପରିଣାମ ସ୍ୱରୂପ ଶିଖ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବାହାର କରାଯାଇଛି । ଡବ୍ଲୁଏସଓର ମୁଖିଆ ତେଜିନ୍ଦର ସିଂହ ସିଦ୍ଧୁ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ ଯେ ମହାମାରୀ ସମୟରେ କ୍ଲିନ ଶେଭ ନଥିବା କାରଣରୁ ଶିଖ୍ ସୁରକ୍ଷା ଗାର୍ଡଙ୍କୁ ଚାକିରିରୁ ବହିସ୍କାର କରାଯାଉଛି । ଆମେ ଏହାକୁ ନିନ୍ଦା କରୁଛୁ ଏବଂ ତୁରନ୍ତ ସେମାନଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ପାଇଁ ଦାବି କରୁଛୁ  ।