ଶାନ୍ତ ମୟୂରଭଞ୍ଜକୁ ଅଶାନ୍ତ କରୁଛି ବିଜେପି: ବିଜେଡି

1 min read

ମୟୂରଭଞ୍ଜ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ ତାରିଖରେ ମୟୂରଭଞ୍ଜବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ପାଇଁ ଆସିଥିବା ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ଯେଭଳି କଳାପତାକା ଦେଖାଇବା ପାଇଁ ଉଦ୍ୟମ କରାଗଲା ତାହାକୁ ଜିଲ୍ଲା ବିଜୁ ଜନତା ଦଳ ତୀବ୍ର ଭର୍ସନା କରିଛି। ବିଭିନ୍ନ ପ୍ରସଙ୍ଗରେ ରବିବାର ସନ୍ଧ୍ୟା ସମୟରେ ହୋଟେଲ ଅମ୍ବିକା ଠାରେ ପ୍ରେସ ମିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହିତ ରାଜ୍ୟ ମୁଖପାତ୍ର ଅନୁଭବ ପଟ୍ଟନାୟକ, ପ୍ରିୟବ୍ରତ ମାଝି, ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ପୁର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୁର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ରାଜ୍ୟ ସାଧାରଣ ସମ୍ପାଦକ ଦେବାଶିଷ ମାରାଣ୍ଡି, ପୁର୍ବତନ ବିଧାୟକ ଭାଦବ ହାଁସଦା ଉପସ୍ଥିତ ଥିଲେ।

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ୬ ଲକ୍ଷରୁ ଉର୍ଦ୍ଧ୍ଵ ପରିବାରକୁ ସ୍ବାସ୍ଥ୍ୟ ସୁରକ୍ଷା ଦେବା ପାଇଁ ୧୦ ଲକ୍ଷ ଟଙ୍କାର ସାସ୍ଥ୍ୟ ବୀମା କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ବଳରେ ପରିବାରର ସମସ୍ତ ସଦସ୍ୟ/ସଦସ୍ୟ ବିଭିନ୍ନ ବେସରକାରୀ ହସପିଟାଲ, ନସିଂ ହୋମରେ ମାଗଣା ଚିକିତ୍ସାର ସୁବିଧା ପାଇପାରିବେ। ଏତତ୍ ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ଉନ୍ନତି ନିମନ୍ତେ ପ୍ରାୟ ୨ ହଜାରରୁ ଉଦ୍ଧ କୋଟି ଟଙ୍କାର ସାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଗମନାଗମନ ତଥା ଅନ୍ୟାନ୍ୟ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଏଭଳି ଏକ ଜନହିତକର କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଆସିଥିବା ବେଳେ ବିଜେପି ଦଳ ଏହାକୁ ବିରୋଧ କରିବା ଜିଲ୍ଲାବାସୀଙ୍କ ନିମନ୍ତେ ଅପମାନ ଅଟେ।

ବିରୋଧ ପ୍ରଦର୍ଶନ କରିବା ନିମନ୍ତେ ଭାରତୀୟ ଜନତାପାର୍ଟି ଜିଲ୍ଲା ବାହାରର ଦଳୀୟ କର୍ମକର୍ତ୍ତାକୁ ଆଣି ପ୍ରଦର୍ଶନ କରିବା ଅତ୍ୟନ୍ତ ଲଜ୍ଜାକର ବିଷୟ। ଶାନ୍ତ ମୟୂରଭଞ୍ଜ ଜିଲ୍ଲାକୁ ବାହାରର ଗୁଣା ଆଣି ଅଶାନ୍ତ କରିବାକୁ ମୟୂରଭଞ୍ଜବାସୀ କେବେ ଗ୍ରହଣ କରିବେ ନାହିଁ। ଅତୀତରେ ଫାଇଲିନ, ଫନି, ୟଶ ବାତ୍ୟା ସମୟରେ ବିଜେଡି ଦଳ ମୟୂରଭଞ୍ଜବାସୀଙ୍କ ପଛରେ ଛିଡା ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀଙ୍କ ଦର୍ଶନ ସାଧାରଣ ଜନତା କରିପାରି ନ ଥିଲେ। କେନ୍ଦ୍ରରେ ବିଜେପି ଦଳ କ୍ଷମତାକୁ ଆସିବାର ୭ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଯାଇଥିଲେ ମଧ୍ୟ ମୟୂରଭଞ୍ଜବାସୀଙ୍କ ନିମନ୍ତେ କେତୋଟି ପ୍ରକଳ୍ପ ଆଣିପାରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି। କେନ୍ଦ୍ରୀୟ ଯୋଜନାରେ ଜିଲ୍ଲାର ବିକାଶ ନିମନ୍ତେ ଏ ପର୍ଯ୍ୟନ୍ତ ସେଭଳି କୌଣସି ଆଖୁ ଦୃଶିଆ କାର୍ଯ୍ୟ ମଧ୍ୟ କରାଯାଇ ନାହିଁ।

ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ମୟୂରଭଞ୍ଜକୁ କ୍ରମାଗତ ଭାବେ ଅବହେଳା କରିଚାଲିଛନ୍ତି। ଆଜିର ସମୟରେ ପେଟ୍ରୋଲ, ଡିଜେଲ ଦର ଶହେ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବାବେଳେ ରନ୍ଧନ ଗ୍ୟାସର ଦର ଏକ ହଜାର ଟଙ୍କାରେ ପହଞ୍ଚିବାକୁ ବସିଛି। ଖାଉଟୀ ଦ୍ରବ୍ୟର ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ କେନ୍ଦ୍ରର ବିଜେପି ସରକାର ହାତ ଟେକି ଦେଇ ସାଧାରଣ ଜନତାକୁ ଦୁଃଖ ଦୁର୍ଦ୍ଦଶାକୁ ଠେଲି ଦେଇଛନ୍ତି। ଦେଶରେ ଏଭଳି ଅଭାବନୀୟ ଦୁର୍ଦ୍ଦଷା ଆଗରୁ କେବେ ଦେଖାଯାଇ ନ ଥିଲା। ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଅନ୍ୟ ଆଡକୁ ନେବା ପାଇଁ ବିଜେପି ଦଳ ଜିଲ୍ଲାବାହାର ବ୍ୟକ୍ତିମାନଙ୍କୁ ଆଣି ଜିଲ୍ଲାରେ ଶାନ୍ତର ବାତାବରଣକୁ ଅଶାନ୍ତ କରିବାକୁ ହୀନ ପ୍ରୟାସ କରୁଅଛି। ଅତୀତରେ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ କରୋନା ଦାଉରୁ ରକ୍ଷା କରିବା ନିମନ୍ତେ ଟୀକା ଦେବାର ବ୍ୟବସ୍ଥା କରିଥିବା ବେଳେ ଉକ୍ତ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ନେତାମାନେ ଅନୁପ୍ରବେଶ କରି  ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଅସମ୍ମାନ, ଜିଲ୍ଲାର ଏକମାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ, ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ଅପମାନ ସୂଚୀନ ମନ୍ତବ୍ୟ ଦେବା ବେଳେ ବିଜୁ ଜନତା ଦଳର କର୍ମୀମାନେ କେବେବି ଏଭଳି ଅଶୋଭନୀୟ, ହୀନ ଆଚାରଣ କରିନାହାନ୍ତି ମାତ୍ର ବିଜେପି ଜିଲ୍ଲା ବାହାରର ଲୋକଙ୍କୁ ଆଣି ଆଇନଭଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟାରିକେଡକୁ ଭାଙ୍ଗି ଏଭଳି ଆଚରଣ କରିବାକୁ ବିଜୁ ଜନତା ଦଳ ନିଶ୍ଚିତ ଭାବେ ପ୍ରତିବାଦ କରିବ।

ଜିଲ୍ଲାର ବିଜେପି ସଂଗଠନ କ’ଣ ଏତେ ଦୁର୍ବଳ ଯେ ସେମାନଙ୍କୁ ବାହାର ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସାହାଯ୍ୟ ଦରକାର ପଡୁଛି ? ଜିଲ୍ଲାର ବିକାଶ ଓ ପ୍ରଗତି ନିମନ୍ତେ କାଣିଚାଏ ଉଦ୍ୟମ ନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେତେବେଳେ ଜିଲ୍ଲାର ବିକାଶ ଓ ସାସ୍ଥ୍ୟ ରକ୍ଷା ନିମନ୍ତେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ ଆସିଥିବା ବେଳେ ଏଭଳି ବିରୋଧ ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ ଅଟେ। ଜିଲ୍ଲାର ଶାନ୍ତ ବାତାବରଣକୁ ଯେ କେହି ଅଶାନ୍ତ କରିବ ବିଜୁ ଜନତା ଦଳ ତାହାକୁ କେବେ ବି ବରଦାସ୍ତ କରିବ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାର ସାଧାରଣ ଜନତାଙ୍କୁ ଏଭଳି ସାସ୍ଥ୍ୟ କାର୍ଡ ପ୍ରଦାନ କରିବା ସମଗ୍ର ଭାରତ ବର୍ଷରେ ବିରଳ ଅଟେ ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ସମଗ୍ର ଜିଲ୍ଲାରେ ଏହି ସାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ଆସନ୍ତା ୨୫ ତାରିଖରେ ବିଜେପି ବନ୍ଦ ଡାକରା ଦେଇଛି  ।

ବିଜେପି ଦଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଠିକ୍ ନାହିଁ ବୋଲି ସଫେଇ ଦେଇ ବନ୍ଦ ଡାକରାର ଆହ୍ବାନ ଦେଇଥିବା ବେଳେ ବିଜୁ ଜନତା ଦଳ ଏହି ଅଭିଯୋଗକୁ ଖଣ୍ଡନ କରୁଛି କରୋନା କାଳରେ ସିଲିଣ୍ଡର ଅଭିବାରୁ ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିବା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରାଜ୍ୟମାନଙ୍କୁ ସିଲିଣ୍ଡର ଯୋଗାଣ କରି ଜୀବନ ରକ୍ଷା କରିବା ସହିତ ଉଦାହରଣ ସୃଷ୍ଟି କରିଥିଲେ। ରାଜ୍ୟ ସରକାରଙ୍କ ବନ୍ୟା, ବାତ୍ୟା ଓ କରୋନା କାଳର ସଠିକ୍ ମୁକାବିଲାକୁ ଦେଶ ଓ ବିଦେଶରେ ପ୍ରଶଂସା କରାଯାଉଥିବା ବେଳେ ଜିଲ୍ଲା ବିଜେପି ଦଳ କୌଣସି କାରଣ ନ ଥାଇ ବନ୍ଦ ଡାକରା ଦେବା ଅର୍ଥ ସାଧାରଣ ଜନତାଙ୍କ ସାର୍ଥରେ ବାଧା ଦେବା ଅଟେ। ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରେ ମୁଖ୍ୟମନ୍ତ୍ରୀଙ୍କ ଏହି ସାସ୍ଥ୍ୟ କାର୍ଡ ବଣ୍ଟନ ପ୍ରତି ସମର୍ଥନ ବଢିଚାଲିଥିବା ବେଳେ ଏଥିରେ ଇର୍ଷାନ୍ବିତ ହୋଇ ବିଜେପି ଦଳ ଏହି ବନ୍ଦ ଡାକରା ଦେଇଛି ଜିଲ୍ଲାବାସୀଙ୍କ ସ୍ବାର୍ଥରେ ବାଧା ଦେଉଥିବା ବିଜେପି ଦଳକୁ ମୟୂରଭଞ୍ଜବାସୀ କେବେ ବି କ୍ଷମା ଦେବେ ନାହିଁ ବୋଲି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜଣାଇଛନ୍ତି।

Opn Commnet Area

Leave a Reply

Your email address will not be published. Required fields are marked *