ନୂଆଦିଲ୍ଲୀ: NEET-UG ପ୍ରଶ୍ନପତ୍ର ଲିକ୍ ବିବାଦ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦାବିରେ ନୂଆଦିଲ୍ଲୀରେ ଚାଲିଥିବା ୨୬ ଦିନିଆ ଅନଶନ ଶେଷ କରିବା ପରେ ନିଜର ସଚ୍ଚୋଟତାକୁ ନେଇ ଆସୁଥିବା ଅଭିଯୋଗର ଦୃଢ଼ ଜବାବ ଦେଇଛନ୍ତି ସୋନମ୍ ୱାଙ୍ଗଚୁକ୍।
ସୋସିଆଲ ମିଡିଆ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହ କୌଣସି “ରାଜନୈତିକ ବୁଝାମଣା” କରାଯାଇଥିବା ନେଇ ହେଉଥିବା ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ।
ତେବେ ୱାଙ୍ଗଚୁକ୍ଙ୍କ ହଠାତ୍ ଅନଶନ ଶେଷ କରିବା ନିଷ୍ପତ୍ତିକୁ ନେଇ କିଛି ସମାଲୋଚକ ଓ ରାଜନୈତିକ ଗୋଷ୍ଠୀ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ହାତରୁ ସୁପ୍ ପିଇ ସେ ଅନଶନ ଭାଙ୍ଗିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରୁ ସେ ଓହରି ଯାଇଛନ୍ତି ଏବଂ ସରକାରଙ୍କ ସହ ଭିତିରି ବୁଝାମଣା କରି ଛାତ୍ର ଆନ୍ଦୋଳନକୁ ଦବାଇ ଦେଇଛନ୍ତି ବୋଲି ଅପପ୍ରଚାର କରାଯାଇଥିଲା ।
ତେବେ ଏହି ସମସ୍ତ ସମାଲୋଚନା ଓ ପ୍ରଚାରର କଡ଼ା ଜବାବ ଦେଇ ୱାଙ୍ଗଚୁକ୍ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ସେ ନିଜର ଶାରୀରିକ ଓ ମାନସିକ କଷ୍ଟ ବିଷୟରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ ୨୬ ଦିନର ଅନଶନ କାରଣରୁ ମୋର ୧୧ କିଲୋଗ୍ରାମ ଓଜନ କମିଯାଇଛି । ଏଭଳି ଜୀବନ-ମରଣ ସ୍ଥିତି ଦେଇ ଗତି କରିବା ପରେ ମୋତେ କାହାଠାରୁ ନିଜର ସାଧୁତା କିମ୍ବା ନିଷ୍ଠାର ପ୍ରମାଣପତ୍ର ନେବାର ଆବଶ୍ୟକତା ନାହିଁ ।

